oom

ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଅସହାୟ ମହିଳାଙ୍କ ମୃତ୍ୟୁ : ଶବକୁ ସସମ୍ମାନେ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଫେବୃଆରୀ ୨୭ ତାରିଖ ଦିନ ପଡୋଶୀ ଜିଲ୍ଲା ସୋନପୁରରୁ କେହି ଜଣେ ଆସି ପାଖାପାଖି ୪୫ ବର୍ଷୀୟା ସୀମା ସାହୁ ଜଣେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରି ଦେଇ ଚାଲି ଯାଇଥିଲା । ସେ ଦିନରୁ ସେ ଚିକିତ୍ସାଧିନ ଥିଲେ । ମାତ୍ର ଗତ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଯାଇଥିଲା । ମହିଳାଙ୍କୁ କିଏ ଆଣିକି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ତାହାର କୌଣସି ତଥ୍ୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ରେକର୍ଡ କରି ନାହାନ୍ତି କିମ୍ବା ସେ ସମୟରେ କେଜୁଏଲ୍‌ଟି ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ ରେଜିଷ୍ଟରରେ କୌଣସି ନାମ ଏଣ୍ଟ୍ରି କରିନାହାନ୍ତି । ହସ୍ପିଟାଲ୍‌ରେ ଥିବା ପୋଲିସ ବିଟ୍‌ ହାଉସ୍‌ର ଅଧିକାରୀ ମୃତ ମହିଳାଙ୍କ ପରିଚୟ ସନ୍ଧାନ ଲକ୍ଷ୍ୟରେ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ହେଲେ ସେହି ମହିଳାଙ୍କ କୌଣସି ପରିଚୟ ମିଳି ପାରିଲା ନାହିଁ । ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଔପଚାରିକତା ଦୃଷ୍ଟିରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବକୁ ଶବ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିଲା । ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ଲିଙ୍କନ ସେଠ୍‌ ଓ ରାହୁଲ ବାଗ ପୋଲିସ ବିଟ୍‌ ହାଉସ୍‌ର ଭାରପ୍ରାପ୍ତ ଅଧିକାରୀ ଗିରି ଧାରୀ ରାକ୍ସାଙ୍କ ଉପସ୍ଥିତିରେ ଉକ୍ତ ଅପରିଚିତ ମହିଳାଙ୍କ ଶବକୁ ସଂରକ୍ଷଣ କେନ୍ଦ୍ରରୁ ସ୍ୱର୍ଗ ରଥରେ ନେଇ ସ୍ଥାନୀୟ ବିଭୁତିପଡା ସ୍ମଶାନରେ ସସମ୍ମାନେ ଶେଷ ସଂସ୍କାର କରି ଫେରିଥିଲେ । ଶବ ସତ୍କାର ନିମନ୍ତେ ଉପଯୁକ୍ତ ସମସ୍ତ ସାମଗ୍ରୀ ଯୁବ ସମାଜସେବୀ ଟୁନା ମିଶ୍ର ଯୋଗାଇଥିଲେ । ଅସହାୟ ଅପରିଚିତ ଶବ ସଂସ୍କାର ନିମନ୍ତେ ଆଜି ୨୫୧ ଥର ପାଇଁ ସମସ୍ତ ଉପଯୁକ୍ତ ସାମଗ୍ରୀ ଯୋଗାଇ ସ୍ମଶାନ ବନ୍ଧୁ ଟୁନା ମିଶ୍ର ଏହି ସଭ୍ୟ ସମାଜରେ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିବା ସହିତ ଏହିପରି ସେବା ମନୋଭାବ ପ୍ରତି ଅନ୍ୟମାନଙ୍କୁ ପ୍ରେରିତ କରିବା ନେଇ ବାର୍ତ୍ତା ଦେଇଛନ୍ତି ।

jittmm
Leave A Reply

Your email address will not be published.