
ତୁରେକେଲା, (କୈଳାଶ ସଗ୍ରିଆ) : ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ନାବାଳିକା ଏବେ ଅସହାୟ ଅବସ୍ଥାରେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ମଲ୍ଲିକପଡାରେ ରହୁଥିଲେ ଗୋଧନ ମଲ୍ଲିକ(୩୪) । ସେ ପ୍ରଥମେ ବେଲପଡା ବ୍ଲକ ଅନ୍ତର୍ଗତ ଫୁଲକାନି ଗାଁରୁ ବିବାହ କରିଥିବା ବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଔରସରୁ ଏକ ଶିଶୁ କନ୍ୟା ଜନ୍ମଗ୍ରହଣ କରିଥିଲା । ଖୁବ୍ ଭଲରେ ଚାଲିଥିବା ସଂସାର ହେଲେ ଦିନେ କୌଣସି କାରଣ ବଶତଃ ଗୋଧନଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଲା । ପୁଣି ସେ ଖଗସା ଗାଁରୁ ଚନ୍ଦ୍ରକଳାଙ୍କୁ ବିବାହ କଲେ । ତେବେ ଦୀର୍ଘ ବର୍ଷ ହେଲା ଚନ୍ଦ୍ରକଳା କିଡିନି ଓ ସିକିଲିନ୍ ରୋଗରେ ପିଡିତ ହେଲେ । କିନ୍ତୁ ଗୋଧନ ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପୋଷଣ କରିଥିବା ବେଳେ ଚନ୍ଦ୍ରକଳାଙ୍କ ଚିକିତ୍ସା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରି ନଥିଲା । ଶେଷରେ ଚନ୍ଦ୍ରକଳା ଯନ୍ତ୍ରଣା ସହିନପାରି ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଏହି ଦୁଃଖଦ ଖବରରେ ମ୍ରିୟମାଣ ହୋଇ ଗୋଧନ ମଧ୍ୟ ନିଜ ଗ୍ରାମ ଦାବ୍ରୀ ପାଖ ଚାଷ ଜମିର ଏକ ଗଛରେ ଆତ୍ମହତ୍ୟା କରିଛନ୍ତି ।
ତେବେ ତାଙ୍କର ନାବାଳିକା ଝିଅ ଦୀପା ମଲ୍ଲିକ ମା’ ବାବାଙ୍କୁ ହରାଇ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିବା ବେଳେ ସେ ରହିବେ କେଉଁଠି, ମୁଣ୍ଡଗୁଞ୍ଜିବେ କେଉଁଠି ବୋଲି କହିବା ସହିତ ମୋତେ ସରକାରୀ ସହାୟତା ଯୋଗାଇ ଦେଲେ ମୁଁ ମୋ ଭବିଷ୍ୟତ ଉଜ୍ୱଳ କରି ପାରନ୍ତି ବୋଲି କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ନାବାଳିକାଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।