ଅସହାୟଙ୍କ ଅକୁହା କଥା : ଜୀବନରେ ଘର ଖଣ୍ଡେ ପାଇବି ତ’ !

ତୁରେକେଲା, (ପିତାମ୍ବର ଦୀପ) : ମୋ’ କପାଳରେ ସରକାରୀ ଆବାସ ଘର ଟିଏ ସପନ ହୋଇଛି । ମତେ ୭୮ବର୍ଷ ହେଲାଣି । ଆଉ କେତେ ଦିନ ବଞ୍ଚିବି ? ୨୦ବର୍ଷରୁ ଅଧିକ ହେବ ମୋ ସ୍ୱାମୀ ଆରପାରିକୁ ଚାଲିଗଲେଣି । ମତେ ଏକୁଟିଆ ବଞ୍ଚିବାକୁ ପଡୁଛି । ମୋର ନିଜର ବୋଲି କେହି ନାହିଁ । ଅଣ୍ଟା ମୋଡି ହୋଇ ବଙ୍କା ହୋଇଗଲାଣି । ଏଭଳି ଏକ ହୃଦୟ ବିଦାରକ କଥା କହୁଥିବା ବିଧବା ଅସହାୟ ବୃଦ୍ଧା ମହିଳା ଜଣକ ହେଲେ ତୁରେକେଲା ବ୍ଲକ ଉପାନ୍ତ ବଡବାଙ୍କୀ ପଂଚାୟତର ମୁରିବାହାଲ ଗାଁର ଶାନ୍ତି ତାଣ୍ଡି । ସ୍ୱାମୀ ସ୍ୱର୍ଗତ ଅକୁର ତାଣ୍ଡି । ଦୀର୍ଘ ଦିନ ହେଲା ସେ ଏକୁଟିଆ ବଞ୍ଚୁଛନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ଏହି ବୟସରେ ଭିକ ମାଗି ତାଙ୍କ ପେଟ ପୋଷୁଛନ୍ତି । ତାଙ୍କୁ ସାହା ହେବା ପାଇଁ ପୁଅ ଝିଅ ବି ନାହାନ୍ତି । ବଂଚିବା ପାଇଁ ଏକୁଟିଆ ସଙ୍ଘର୍ଷ କରୁଛନ୍ତି । ସରକାରୀ ଯୋଜନା ବି ଏବେ ତାଙ୍କ ପାଇଁ ଅପହଂଚ । ଭତ୍ତା ଆଗରୁ ପାଉଥିଲେ, ହେଲେ ଏବେ ଆକାଉଣ୍ଟରେ ଟଙ୍କା ପଡ଼ୁଥିବାରୁ ସେ କିଓସ୍କୋ ବ୍ୟାଙ୍କକୁ ଯାଇ ପାରୁନାହାନ୍ତି । ଚାଉଳ ପାଇଁ ପଞ୍ଚାୟତକୁ ମଧ୍ୟ ଯାଇ ପାରୁନାହାନ୍ତି । ତେବେ ଏଥିପ୍ରତି କାହାର ନଜର୍‌ ନାହିଁ କି ଦୁଃଖ ନାହିଁ । ରହିବାକୁ ଘର ଖଣ୍ଡିଏ ବି ନାହିଁ । ଚାଳ ଛପର ପଲିଥିନ ଭଙ୍ଗା ଦଦରା ଘରେ ରହୁଛନ୍ତି ଶାନ୍ତି । ତେବେ କେବେ ତାଙ୍କ ଭାଗ୍ୟରେ ପକ୍କା ଘର ଖଣ୍ଡେ ମିଳିବ, ତାହା ଭଗବାନଙ୍କୁ ଜଣା । ତଥାପି ସରକାରୀ ଯୋଜନାକୁ ଅପେକ୍ଷା କରିଥିବା କୋହଭରା କଣ୍ଠରେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏନେଇ ତୁରେକେଲା ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ, ସେ ତଦନ୍ତ କରି ବୃଦ୍ଧାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ।

Leave A Reply

Your email address will not be published.