
ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ଆଦିବାସୀମାନଙ୍କ ସର୍ବବିଧ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ “ଆଦି କର୍ମଯୋଗୀ ଅଭିଯାନ” ନୂଆପଡା ଜିଲ୍ଲାରେ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ଦିଶା ନିର୍ଦ୍ଦେଶ ବୈଠକ ଅନୁଷ୍ଠିତ ହେଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ସମସ୍ତ ବିଡ଼ିଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ଆଦି କର୍ମଯୋଗୀ ଅଭିଯାନ ହେଉଛି ଏକ ବିକେନ୍ଦ୍ରୀକୃତ ଆଦିବାସୀ ନେତୃତ୍ୱ ଏବଂ ଶାସନ ପରିସଂସ୍ଥା ଗଠନ ପାଇଁ ଏକ ଜାତୀୟ ଆନ୍ଦୋଳନ । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ । ଏହା କ୍ଷମତା ନିର୍ମାଣ, ବିକେନ୍ଦ୍ରୀ କରଣ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣ ମାଧ୍ୟମରେ ଦେଶର ୫୫୦ ଆଦିବାସୀ ବହୁଳ ଜିଲ୍ଲାର ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦିବାସୀ ପରିବର୍ତ୍ତନକାରୀଙ୍କୁ ସଶକ୍ତ କରିବା ପାଇଁ ଅଭିପ୍ରେତ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଯୋଜନାରେ ଏହା ସେବା, ସମର୍ପଣ ଏବଂ ସଂକଳ୍ପ ଦ୍ୱାରା ଆଦିବାସୀମାନଙ୍କୁ ସଶକ୍ତ କରିବ । ଆଦି କର୍ମଯୋଗୀ ପୋର୍ଟାଲ୍ ଏହି ମିଶନର ଡିଜିଟାଲ ମେରୁଦଣ୍ଡ ଭାବରେ କାର୍ଯ୍ୟ କରି ପଞ୍ଜୀକରଣ, ତାଲିମ, ତଦାରଖ ମାଧ୍ୟମରେ ପ୍ରାଥମିକ ସ୍ତରରେ ପରିବର୍ତ୍ତନକୁ ସକ୍ଷମ କରିବ । ନେତୃତ୍ୱର ତିନୋଟି ସ୍ତମ୍ଭ “ଆଦି କର୍ମଯୋଗୀ, ଆଦି ସହଯୋଗୀ, ଏବଂ ଆଦି ସାଥୀ” ମାନଙ୍କଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ୨୦ ଲକ୍ଷ ଆଦିବାସୀ ନେତାଙ୍କୁ ତାଲିମ ଏବଂ ସଂଗଠିତ କରିବା । ଏହାଦ୍ୱାରା ୧ ଲକ୍ଷ ଆଦି ସେବା କେନ୍ଦ୍ର ସ୍ଥାପନ କରାଯିବ । ଏହା ଶେଷ ସ୍ତର ପର୍ଯ୍ୟନ୍ତ ଅଭିସରଣ ଏବଂ ପ୍ରଭାବଶାଳୀ ସେବା ପ୍ରଦାନକୁ ପ୍ରୋତ୍ସାହିତ କରିବ । ଆଦିବାସୀ ସମ୍ପ୍ରଦାୟର ସ୍ୱରକୁ ଗୁରୁତ୍ୱ ଦେଇ ଅଭିବୃଦ୍ଧି କରିବ । ପ୍ରତ୍ୟେକ ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲି ଘର ନିକଟରେ ସବୁ ସରକାରୀ ସେବା ଯୋଗାଇ ଦିଆଯିବ । ନୂଆପଡା ଜିଲ୍ଲାର ୯୧ ଟି ଗ୍ରାମ ପଂଚାୟତର ୨୬୦ଟି ଗ୍ରାମର ୬୫୧୯୧ ଟି ଆଦିବାସୀ ଗୃହରେ ଏହି ଅଭିଯାନର ଲାଭ ପହଞ୍ଚାଇ ଦିଆଯିବ । ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ସରକାରୀ ଅଧିକାରୀ ନିଜର ସମର୍ପଣ ଭାବ ଦ୍ୱାରା ସମାଜର ତଳ ସ୍ତରରେ ରହିଯାଇଥିବା ଆଦିବାସୀ ମାନଙ୍କ ଅସ୍ଥା ଭାଜନ ହୁଅନ୍ତୁ । ସେମାନେ ଘର ଘର ବୁଲି ଆଦିବାସୀ ମାନଙ୍କୁ ଆବାସ ଗୃହ, ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳା ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ବିଦ୍ୟୁତ୍ ଯୋଗାଣ, ସୂର୍ଯ୍ୟଘର ଯୋଜନା ଇତ୍ୟାଦିର ସେବା ଯୋଗାଇ ଦିଅନ୍ତୁ । ସବୁ ଆଦିବାସୀ ଗାଁ ପ୍ରବାସୀ ଶ୍ରମିକ ମୁକ୍ତ ହେବ । ଏହି ଅଭିଯାନରେ ଆମେ ନୂଆପଡା ଜିଲ୍ଲାର ସବୁ ଆଦିବାସୀ ଗ୍ରାମକୁ ଆଦର୍ଶ ଗ୍ରାମ ହିସାବରେ ଗଢ଼ି ତୋଳିବା । ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ କର୍ମଯୋଗୀମାନଙ୍କୁ କର୍ତ୍ତବ୍ୟର ଶପଠ ପାଠ କରାଇଥିଲେ ।