ଗିରଫ ହେଲା ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୋଷ ବେହେରା

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ରମ୍ଭାଥାନା ଖଣ୍ଡଦେଉଳି ଗ୍ରାମର ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୋଷ କୁମାର ବେହେରା ଗଂଜେଇ ନେଇ ଯାଉଥିବା ବେଳେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଗୁରୁବାର ତାଙ୍କୁ କେସ୍‌ ନମ୍ବର ୪୮୭/୨୧ରେ କୋର୍ଟ ଫରୱାର୍ଡ଼ କରାଯାଇଥିବା ରମ୍ଭା ଥାନା ଆଇଆଇସି ଦିପ୍ତୀରଂଜନ ବେହେରା ସୂଚନା ଦେଇଛନ୍ତି । ଆଇଆଇସିଙ୍କ ସୂଚନା ଅନୁଯାଇ ଅସାମାଜିକ ତଥା ହାର୍ଡ କ୍ରିମିନାଲ ସନ୍ତୋଷ ନମ୍ବର ବିହୀନ ଏକ ମୋଟର ସାଇକେଲ ଗଂଜେଇ ଧରି ଯାଉଥିବା ଖବର ପାଇ ହୁମ୍ମା ନିକଟସ୍ଥ ଗଳା ଶଙ୍ଖଠାରେ କାବୁ କରାଯାଇଥିଲା । ଜବତ ଗଂଜେଇ ଓଜନ ୨୫ କିଲୋ ରହିଥିବା ପୋଲିସ କହିଛି । ଏଥିସହ ଅଭିଯୁକ୍ତ ସନ୍ତୋଷଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ହତ୍ୟା, ଲୁଟ ଡକାୟତି ଭଳି ମାମଲା ରାଜ୍ୟ ବାହାରେ ତଥା ସୁରତ, ପୁରୀ ଜିଲ୍ଲା କୋଣାର୍କ ଏବଂ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର, ରମ୍ଭା, ହିଞ୍ଜିଳି ଥାନାରେ ମାମଲା ଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । ସୁରଟରେ ଏକ ବଡ଼ ଧରଣର ଡକାୟତି ମାମଲାରେ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୋଷଙ୍କୁ ଧରିବାକୁ ରମ୍ଭା ପୋଲିସ ଜାଲ ବିଛେଇ ଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଥିଲା ରମ୍ଭା ପୋଲିସ । ଏତିକି ବେଳେ ସନ୍ତୋଷ ନିଜ ଗ୍ରାମରୁ ଗଂଜେଇ ଧରି ହୁମ୍ମା ଆସୁଥିବା ରମ୍ଭା ପୋଲିସ ଖବର ପାଇ ହୁମ୍ମା ନିକଟସ୍ଥ ଗଳା ଶଙ୍ଖଠାରେ ଛକି ରହିଥିଲା । ପୋଲିସକୁ ଦେଖି ସନ୍ତୋଷ ନିଜ ନମ୍ବର ବିହୀନ ମୋଟର ସାଇକେଲ ବୁଲାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ କାବୁ କରିଥିବା ଜଣାପଡିଛି । ପରେ ଉକ୍ତ ମୋଟର ସାଇକେଲ ଓ ଗଂଜେଇ ଜବତ କରିବା ସହ ରମ୍ଭା ଥାନା ନେଇ ତଦନ୍ତ ଚଳାଇବା ସହ ତଥ୍ୟ ଆଦାୟ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଖୁବ ଶୀଘ୍ର ସୁରତ ପୋଲିସ ମଧ୍ୟ ଓଡିଶା ଆସି ଅଭିଯୁକ୍ତ ସନ୍ତୋଷଙ୍କୁ ରିମାଣ୍ଡରେ ଆଣି ଜେରା କରି ପାରନ୍ତି ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି । ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ସନ୍ତୋଷ ବହୁ ବାର ଜେଲ ଯିବା ସହ ଏନ୍‌କାଉଣ୍ଟର ମଧ୍ୟ ହୋଇଥିଲା ।

Leave A Reply

Your email address will not be published.