କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷତା କରିଛନ୍ତି
• ମୋଦିଜୀଙ୍କ ନେତୃତ୍ୱରେ ଦେଶ ଏକ ‘ଡିଜିଟାଲ ବିପ୍ଳବ’ର ସାକ୍ଷୀ ପାଲଟିଛି, ସାଇବର ସୁରକ୍ଷାଜନିତ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଜଣେ ଏହାର ଆକାର ଏବଂ ପରିମାଣକୁ ବୁଝିବା ଆବଶ୍ୟକ
• ସାଇବର ଅପରାଧ ରୋକିବା ପାଇଁ ଜାଲ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ କରିବା ପାଇଁ ଏଆଇ ବ୍ୟବହାର କରାଯିବ
• ମୋଦିଜୀଙ୍କ ‘ଷ୍ଟପ୍-ଥିଙ୍କ୍-ଟେକ୍ ଆକ୍ସନ୍’ ମନ୍ତ୍ର ଉପରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି
• ସାଇବର ଅପରାଧର ମୁକାବିଲା ପାଇଁ ମୋଦୀ ସରକାର ଏକ ଚାରିପାଖିଆ ରଣନୀତି : ସମ୍ମେଳନ, ସମନ୍ୱୟ, ଯୋଗାଯୋଗ ଏବଂ ସାମର୍ଥ୍ୟ ରଣନୀତି ନେଇ ଆଗେଇ ଚାଲିଛନ୍ତି
• ସାଇବର ଅପରାଧକୁ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏବଂ ସାଇବର ହେଲ୍ପଲାଇନ୍ ‘୧୯୩୦’କୁ ପ୍ରୋତ୍ସାହିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବା ଦରକାର ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି
• ସାଇବର ସ୍ପେସର ତିନୋଟି ମୌଳିକ ଉପାଦାନ – ସଫ୍ଟୱେର, ସେବା ଏବଂ ଉପଭୋକ୍ତା ସାଇବର ଠକେଇର ମୁକାବିଲା କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ
• ସଦସ୍ୟମାନେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ପାଇଁ ସଂସଦୀୟ ପରାମର୍ଶଦାତା କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବନ୍ଦୀ ସଞ୍ଜୟ କୁମାର, କମିଟିର ସଦସ୍ୟ, କେନ୍ଦ୍ର ଗୃହ ସଚିବ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ହୋଇଥିଲା । ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତରେ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ ହୋଇଛି, ଯାହା ସ୍ୱାଭାବିକ ଭାବରେ ସାଇବର ଆକ୍ରମଣ ସଂଖ୍ୟା ବୃଦ୍ଧି କରିଛି । ସେ କହିଛନ୍ତି ଯେ ଯେତେବେଳେ ଆମେ ସାଇବର ସ୍ପେସ୍କୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁ, ଏହା ‘ସଫ୍ଟୱେର୍, ‘ସେବା’ ଏବଂ ‘ଉପଭୋକ୍ତା’ର ଏକ ଜଟିଳ ନେଟୱାର୍କକୁ ନେଇ ଗଠିତ ହୋଇଥିବା ପରି ଅନୁଭୂତ ହୋଇଥାଏ । ସେ ଗୁରୁତ୍ୱାରୋପ କରି କହିଥିଲେ, ଯେ ପର୍ଯ୍ୟନ୍ତ ଆମେ ‘ସଫ୍ଟୱେର’, ‘ସେବା’ ଏବଂ ‘ଉପଭୋକ୍ତା’ ମାଧ୍ୟମରେ ସାଇବର ଠକେଇକୁ ନିୟନ୍ତ୍ରଣ କରିବା ଉପରେ ବିଚାର କରୁନାହୁଁ, ସେ ର୍ପଯ୍ୟନ୍ତ ସାଇବର ସ୍ପେସ୍ ସମସ୍ୟାର ସମାଧାନ କରିବା ଅସମ୍ଭବ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଭାରତକୁ ସାଇବର ସୁରକ୍ଷିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି ।
ଅମିତ ଶାହ କହିଥିଲେ ଯେ ସାଇବର ଅପରାଧ ସମସ୍ତ ଭୌଗୋଳିକ ସୀମାକୁ ହଟାଇ ଦେଇଛି । ସେ କହିଛନ୍ତି ଯେ ଏହା ଏକ ‘ସୀମାହୀନ’ ଏବଂ ‘ରୂପହୀନ’ ଅପରାଧ, କାରଣ ଏହାର କୌଣସି ସୀମା କିମ୍ବା ନିର୍ଦ୍ଦିଷ୍ଟ ରୂପ ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ‘ଡିଜିଟାଲ ବିପ୍ଳବ’ର ସାକ୍ଷୀ ପାଲଟିଛି । ‘ଡିଜିଟାଲ ବିପ୍ଳବ’ର ଆକାର ଓ ବ୍ୟାପକତାକୁ ନ ବୁଝିଲେ ଆମେ ସାଇବର କ୍ଷେତ୍ରରେ ଆହ୍ୱାନର ମୁକାବିଲା କରିପାରିବୁ ନାହିଁ ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ୯୫ ପ୍ରତିଶତ ଗାଁ ଡିଜିଟାଲ ମାଧ୍ୟମରେ ସଂଯୋଗ ହୋଇଛି ଏବଂ ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ୍ ସୁବିଧା ରହିଛି । ଗତ ୧୦ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪.୫ ଗୁଣ ବୃଦ୍ଧି ପାଇଛି । ୨୦୨୪ରେ ୟୁପିଆଇ ମାଧ୍ୟମରେ ୧୭.୨୨୧ ଲକ୍ଷ କୋଟି ଟଙ୍କାର ମୋଟ ୨୪୬ ଟ୍ରିଲିୟନ କାରବାର ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୨୪ରେ ବିଶ୍ୱର ୪୮ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଦେଶରେ ପରିଣତ ହୋଇଛି । ୨୦୨୩ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଡିଜିଟାଲ ଅର୍ଥନୀତିର ଅବଦାନ ପ୍ରାୟ ୩୨ ଲକ୍ଷ କୋଟି ଟଙ୍କା ରହୀଥିଲା, ଯାହା ହେଉଛି ୧୨ ପ୍ରତିଶତ ଏବଂ ଏଥିରେ ପାଖାପାଖି ୧୫ ନିୟୁତ ନିଯୁକ୍ତି ସୃଷ୍ଟି ହୋଇଥିଲା । ଅମିତ ଶାହ କହିଥିଲେ ଯେ ଆଜି ଭାରତ ଡିଜିଟାଲ ଦୃଶ୍ୟପଟ ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ପାଲଟିଛି । ଭାରତର ମୋଟ ଅର୍ଥନୀତିରେ ଡିଜିଟାଲ୍ ଅର୍ଥନୀତିର ଅବଦାନ ୨୦ ପ୍ରତିଶତ ରହିଛି । ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ହେଉଛି ଶୂନ ସାଇବର ଅପରାଧ ମାମଲା ଏବଂ ସେଗୁଡିକର ଏଫଆଇଆର ସୁନିଶ୍ଚିତ କରିବା ବୋଲି ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ସାଇବର ଅପରାଧର ମୁକାବିଲା ପାଇଁ ଆମେ ଚାରି ପ୍ରକାର ରଣନୀତି ଗ୍ରହଣ କରିଛୁ, ଯେଉଁଥିରେ ସମ୍ମେଳନ, ସମନ୍ୱୟ, ଯୋଗାଯୋଗ ଏବଂ ସାମର୍ଥ୍ୟ ଅନ୍ତର୍ଭୁକ୍ତ । ଏସବୁକୁ ସ୍ପଷ୍ଟ ଉଦ୍ଦେଶ୍ୟ ଓ ରଣନୀତିକ ଆଭିମୁଖ୍ୟ ସହ କାର୍ଯ୍ୟକାରୀ କରାଯାଉଛି । ଗୃହ ମନ୍ତ୍ରଣାଳୟ ମଧ୍ୟରେ ଆନ୍ତଃମନ୍ତ୍ରଣାଳୟ ଏବଂ ଆନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରାଯାଇଛି, ଯାହା ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ସୁରୁଖୁରୁରେ ସୂଚନାର ପ୍ରବାହକୁ ସୁନିଶ୍ଚିତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଗୃହ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ସିଇଆରଟି-ଆଇଏନ୍, ଆଇ୪ସି ଏବଂ ଟେଲିକମ୍ ଓ ବ୍ୟାଙ୍କିଙ୍ଗ୍ ଭଳି ବିଭାଗ ମଧ୍ୟରେ ସୂଚନା ଆଦାନପ୍ରଦାନର ଏକ ସୁସ୍ଥ ପରମ୍ପରା ଅନେକ ସାଇବର ଅପରାଧ ମାମଲାକୁ ସଫଳତାର ସହ ମୁକାବିଲା କରିବାରେ ସହାୟକ ହୋଇଛି ବୋଲି ଅମିତ ଶାହ କହିଥିଲେ ।
ସାଇବର ଅପରାଧ ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଆଇ୪ସି ହେଲ୍ପଲାଇନ ନମ୍ବର ୧୯୩୦କୁ ପ୍ରୋତ୍ସାହିତ କରିବାକୁ କମିଟିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ସାଇବର ଆର୍ଥିକ ଠକେଇକୁ ଦୃଷ୍ଟିରେ ରଖି ‘୧୯୩୦’ ହେଲ୍ପଲାଇନ୍ ଏକ ୱାନ୍ ପଏଣ୍ଟ ସଲ୍ୟୁସନ୍ ପ୍ରଦାନ କରୁଛି, ଯେଉଁଥିରେ କାର୍ଡ ବ୍ଲକିଂ ଭଳି ବିଭିନ୍ନ ସେବା ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି ।
ଅମିତ ଶାହା କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଏବଂ ସମସ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଉଦ୍ୟମ ଚାଲିଛି । ସେ ଉଲ୍ଲେଖ କରିଛନ୍ତି ଯେ ଜାଲ ଆକାଉଣ୍ଟଗୁଡିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଯେପରି ସେସବୁକୁ ବନ୍ଦ କରି ଦିଆଯିବ, ତାହା ଆମେ ସୁନିଶ୍ଚିତ କରିବୁ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ଅପରାଧ ବିରୋଧରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ‘ଷ୍ଟପ୍-ଥିଙ୍କ୍-ଟେକ୍ ଆକ୍ସନ୍’ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାର ସୁନିଶ୍ଚିତ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଇ୪ସି ପୋର୍ଟାଲରେ ସମୁଦାୟ ୧ ଲକ୍ଷ ୪୩ ହଜାର ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ୧୯ କୋଟିରୁ ଅଧିକ ଲୋକ ଏହି ପୋର୍ଟାଲକୁ ବ୍ୟବହାର କରିଛନ୍ତି । ଜାତୀୟ ନିରାପତ୍ତା ଦୃଷ୍ଟିରୁ ଆଇ୪ସିର ସୁପାରିସ ଆଧାରରେ ୮୦୫ଟି ଆପ୍ ଏବଂ ୩୨୬୬ଟି ୱେବସାଇଟ୍ ଲିଙ୍କ୍କୁ ବ୍ଲକ୍ କରାଯାଇଛି । ଏହାବ୍ୟତୀତ ୩୯୯ଟି ବ୍ୟାଙ୍କ ଓ ଆର୍ଥିକ ମଧ୍ୟସ୍ଥି ଏଥିରେ ସାମିଲ ହୋଇଛନ୍ତି । ୬ ଲକ୍ଷରୁ ଅଧିକ ସନ୍ଦେହଜନକ ଡାଟା ପଏଣ୍ଟ ସେୟାର କରାଯାଇଛି, ୧୯ ଲକ୍ଷରୁ ଅଧିକ ଜାଲ ଆକାଉଣ୍ଟ ଧରାପଡ଼ିଛି ଏବଂ ୨୦୩୮ କୋଟି ଟଙ୍କାର ସନ୍ଦେହଜନକ କାରବାରକୁ ରୋକାଯାଇଛି ।
ଅମିତ ଶାହ କହିଛନ୍ତି ଯେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଇବର କ୍ରାଇମ ଫରେନସିକ୍ ଟ୍ରେନିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ‘ସାଇଟ୍ରେନ୍’ ପ୍ଲାଟଫର୍ମ, ‘ମାସିଭ୍ ଓପନ୍ ଅନଲାଇନ୍ କୋର୍ସ (ଏମଓଓସି)’ ପ୍ଲାଟଫର୍ମରେ ୧,୦୧,୫୬୧ ଜଣ ପୁଲିସ ଅଧିକାରୀ ପଞ୍ଜୀକରଣ କରିଥିବା ବେଳେ ୭୮,୦୦୦ରୁ ଅଧିକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । କମିଟିର ସଦସ୍ୟମାନେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ ଦେବା ସହ ସାଇବର ନିରାପତ୍ତା ବୃଦ୍ଧି ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିଥିଲେ ।