ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପରିବେଶ ସୁରକ୍ଷା : ଜୀବନ ରକ୍ଷା ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଗତ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ପରିବେଶ ସୁରକ୍ଷା, ଜୀବନ ରକ୍ଷା ଶୀର୍ଷକ ଦଶମ ଅଠାରି କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଆଶୁକବି ହେମନ୍ତ ଦାସ ସଭା ସଞ୍ଚାଳନ କରିଥିଲେ । ଏଥିରେ କୋଶଳ ସାହିତ୍ୟ ଏକାଡେମୀର ସଭାପତି ଦେବେନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ କୋଶଲି ଡେରାର ସଂପାଦକ ଲାଲଚନ୍ଦ ବଗର୍ତ୍ତୀ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ କବିମାନେ ଲେଖନୀ ଚାଳନା କରି ସଚେତନ କରିବା ସହ ସମସ୍ତ ଜନସାଧାରଣ ସହ ମିଶି ବୃକ୍ଷ ରୋପଣ ପାଇଁ ଆଗଭର ହେବାକୁ ଆହ୍ଵାନ ଦେଇଥିଲେ । ବିଶିଷ୍ଟ କବି ଓ ଲେଖକ ରାଜୀବ ପ୍ରସାଦ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜେ କାଲକୁଟ ଜଙ୍ଗଲରେ ପାଞ୍ଚ ହଜାର ଆମ୍ଵଗଛ ଜଗେଇଥିବା କଥା କହି ଅନ୍ୟମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ସଭାରେ ଉପସ୍ଥିତ ଶ୍ରୀ ନାଏକ, ଶ୍ରୀ ବାଗ ଓ ଶ୍ରୀ ଭୋଇ ସାହିତ୍ୟ ମାଧ୍ୟମରେ ସମାଜକୁ ସୁଧୁରେଇବା ପାଇଁ ନିଷାନ୍‌ର ଏଭଳି ଅଭିନବ ଉପାୟକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ ଆବାହନୀ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ବରିଷ୍ଠ କବି ଗୋପୀକୃଷ୍ଣ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ଓ ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା ସଭା ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଡିଙ୍ଗର ଷଡ଼ଙ୍ଗୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଏବଂ ବିଶିଷ୍ଟ କବି ଗୋପୀକୃଷ୍ଣ ପାଣ୍ଡିଆଙ୍କ ଜନ୍ମ ଦିନ ମହା ସମାରୋହରେ ପାଳିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ସଂଯୋଜିକା ବବିତା ନାୟକଙ୍କ ସୁନ୍ଦର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଅନିଲ କୁମାର ପଣ୍ଡା, ବୈରାଗୀ ସାହୁ, ଗୋପୀକୃଷ୍ଣ ପାଣ୍ଡିଆ, ଦେବେନ୍ଦ୍ର ନାଏକ, ସତ୍ୟ ନାରାୟଣ ମିଶ୍ର, ସୋମନାଥ ମିଶ୍ର, ନେପାଳ ଚନ୍ଦ୍ର ବାଗ, ରାଜୀବ ପ୍ରସାଦ ଭୋଇ, ଆଶୁକବି ହେମନ୍ତ ଦାସ, ଚମ୍ପିୟାନ ଦାନୀ, ତରଣୀସେନ ନାଗ, କ୍ଷୀରୋଦ୍ର କୁମାର ସାହୁ, କବୟିତ୍ରୀ ସାବିତ୍ରୀ ସାହୁ, ତୃପ୍ତିମୟୀ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, ରଶ୍ମି ପାତ୍ର, ବବିତା ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.