jayashree

ଛତ୍ରପୁର ଉଦ୍ୟାନ ବିଭାଗ ପକ୍ଷରୁ ଉନ୍ନତ ଫଳ ଚାଷ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୨ ଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ବିଭିନ୍ନ ଫଳଚାଷ ଉପରେ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନର ମୁଖ୍ୟ ବୈଜ୍ଞାନିକ ଡ. ସୁଜିତ କୁମାର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ପ୍ରଥମ ଦିନରେ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଜିଲ୍ଲା ଉଦ୍ୟାନ ଉପ-ନିର୍ଦ୍ଦେଶକ କନ୍ଧଜେନା, ଜିଲ୍ଲା ଲିଡ୍ ବ୍ୟାଙ୍କ ପରିଚାଳକ ସୀମାଞ୍ଚଳ ସାହୁ, ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କୃଷକଙ୍କର ଆୟ ବଢାଇବା ପାଇଁ ବୈଜ୍ଞାନିକ ଜ୍ଞାନ କୌଶଳର ପ୍ରୟୋଗ ନିହାତି ଜରୁରୀ ବୋଲି ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗ ଦ୍ୱାରା ଦିଆଯାଇଥିବା ସରକାରୀ ସୁବିଧା ଉପରେ ବିଭିନ୍ନ ଅଧିକାରୀ ଆଲୋକପାତ କରିଥିଲେ । ଡ. ନାଥ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଆମ୍ବ, କଦଳୀ, ଲେମ୍ବୁ, ସେଓ, ଅମୃତଭଣ୍ଡା, ପିଜୁଳି, ଆଦି ଫସଲରେ ବିଭିନ୍ନ ଜ୍ଞାନ କୌଶଳର ପ୍ରୟୋଗ ଉପରେ ତଥ୍ୟ ସବୁ କୃଷକମାନଙ୍କ ଆଗରେ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ଦିନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ତଥା କୃଷି ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ. ବିପିନ୍ ପ୍ରଧାନ ବିଭିନ୍ନ ଫଳ ଚାଷର ଉତ୍ପାଦକତା ପ୍ରଣାଳୀ ଓ ରୋଗ ପୋକ ନିୟନ୍ତ୍ରଣ ଉପରେ ସବିଶେଷ ଆଲୋଚନା କରିଥିଲେ । କୃଷି ଜିଲ୍ଲା ଅଧିକାରୀ ଛତ୍ରପୁର କୁଳମଣୀ ବାରିକ ଓ ଛତ୍ରପୁର ସହକାରୀ ନିର୍ଦ୍ଦେଶକ ପ୍ରତାପଚନ୍ଦ୍ର ପଣ୍ଡା, ଛତ୍ରପୁର ଅଞ୍ଚଳର ପାଣିପାଗ ଓ ଜଳବାୟୁ ଅନୁସାରେ ବିଭିନ୍ନ ଫଳଚାଷ, ତା’ ମଧ୍ୟରେ ଅନ୍ତଃ ଚାଷ ଓ ସରକାରୀ ସୁବିଧା ଉପରେ ସମ୍ୟକ୍ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ. ଦେବାଶିଷ ଷଡଙ୍ଗୀ ଫଳଚାଷ ପାଇଁ ମୃତ୍ତିକାପରିଚାଳନା ଓ ବୈଜ୍ଞାନିକ ସନ୍ଦୀପ ମହାନ୍ତି ରୋଗପୋକ ନିୟନ୍ତ୍ରଣ ଉପରେ ସବିଶେଷ ବର୍ଣ୍ଣନା କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଡ୍ରାଗନ୍ ଫଳ ଚାଷୀ ବିପୁଳିଙ୍ଗୀ ଗ୍ରାମର ଅନିମେଷା ଦାଶ ଓ ଉନ୍ନତ ଉଦ୍ୟାନ ଚାଷୀ ସୁନ୍ଦରପୁର ଗ୍ରାମର ଶରତ ମହାକୁରଙ୍କୁ ଶାଲ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଛତ୍ରପୁର ବ୍ଲକ ଉଦ୍ୟାନ ଅଧିକାରୀ ସନ୍ଦିପ ବଧେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.