ମୁରିବହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ଅନୁଷ୍ଠିତ

  • ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନା
  • ସମିତି ସଭ୍ୟଙ୍କ ମଧ୍ୟରେ ତୁତୁମେମେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ବୁଧବାର ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରଥମ ଥର ଏହି ବୈଠକରେ ଯୋଗ ଦେଇଥିବାରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ବୈଠକରେ ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନା ହୋଇଥିଲା । ଜିପିଡିଓ ଗଙ୍ଗାଧର ଛତର ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ମଧ୍ୟ ସେଥିରେ କିଛି ଲେଖା ଯାଇନଥିବା, ସମିତି ବୈଠକର ଖାତାରେ ମନରେଗା ଯୋଜନାର ତଥ୍ୟ ଲେଖାକୁ ନେଇ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ ହଂସରାଜ ଜୈନ ଆପତ୍ତି କରିଥିଲେ । ଏହାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ଜିପିଡ଼ିଓ ଶ୍ରୀ ପଟେଲ ପୂର୍ବ ବୈଠକର ବିବରଣୀକୁ ଏଜେଣ୍ଡାରୁ ବାଦ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଆସନ୍ତା ଅଗଷ୍ଟ ୧୫ରୁ ସମସ୍ତ ଚାଷୀଙ୍କ ଜମିର ଡିଜିଟାଲ ସର୍ଭେ ଆରମ୍ଭ ହେବ ବୋଲି ଅତିରିକ୍ତ କୃଷି ଅଧିକାରୀ ଅବିନାଶ ପାଣିଗ୍ରାହୀ ପ୍ରକାଶ କରିଥିଲେ । ସିଏଚ୍‌ସିରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବହୁ ବିଳମ୍ବକୁ ନେଇ ସମିତି ସଭ୍ୟ ହଂସରାଜ ଜୈନ, ତୋଫାନ୍‌ ନାଗ ପ୍ରଶ୍ନ କରିଥିଲେ । ଗୁଡିଘାଟ ପିଏଚ୍‌ସିର ନୂତନ କୋଠା ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ସ୍ଥାୟୀ ଜାଗା ଚିହ୍ନଟ ହୋଇନଥିବା ଉପାଧ୍ୟକ୍ଷା ମିଥିଲା ମାଝୀ ଅଭିଯୋଗ କରିଥିଲେ । ବ୍ଲକ ଅଞ୍ଚଳରେ ଥିବା ଅଧିକାଂଶ ସ୍କୁଲକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁ ବିଳମ୍ବରେ ଆସି ଶୀଘ୍ର ଛୁଟି କରି ଚାଲି ଯାଉଛନ୍ତି ବୋଲି ସମିତି ସଭ୍ୟ ତୋଫାନ ନାଗ ଅଭିଯୋଗ କରିଥିଲେ । ବ୍ଲକର ବହୁ ସ୍କୁଲରେ ଶିକ୍ଷକ ଅଭାବ, ସହର ପାଖ ସ୍କୁଲରେ ଅଧିକ ସଂଖ୍ୟକ ଶିକ୍ଷକ ରହୁଥିବା ତଥା ଏକ ସ୍ଥାୟୀ ବିଇଓ ଅଫିସ୍ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀଙ୍କ ସହ ଅନ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । କିଶୋରୀ ବାଳିକାମାନଙ୍କୁ ଠିକ୍‌ ରୂପେ ଛତୁଆ, ଅଣ୍ଡା ଯୋଗାଣ ହେଉନଥିବା, ବହୁ ଅଙ୍ଗନୱାଡି କେନ୍ଦ୍ରର କୋଠା ବିପଦପୂର୍ଣ୍ଣ ଥିବା ସମିତି ସଭ୍ୟ ତୋଫାନ ନାଗ, ଭୀମସେନ ବାଗ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ ପ୍ରମୁଖ ଅଭିଯୋଗ କରିଥିଲେ । ଉଦ୍ୟାନ ବିଭାଗକୁ ଆସୁଥିବା ବିହନ ଓ ମଞ୍ଜିର ବ୍ୟାପକ ପ୍ରଚାର ପ୍ରସାର ତଥା ଲୋକ ପ୍ରତିନିଧିଙ୍କୁ ଜଣାଇ ବଣ୍ଟନ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ଉଦ୍ୟାନ ଅଧିକାରୀ ମନବୋଧ ମାଝୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଶୁପାଳନ ଓ ମତ୍ସ୍ୟ ଚାଷର ବିଭିନ୍ନ ଯୋଜନା ସମ୍ପର୍କରେ ବିଭିଓ ଡ. ଅଞ୍ଜନ ମଲ୍ଲିକ ଓ ଏଏଫ୍‌ଓ ସୀମା ପଧାନ ବୈଠକରେ ସୂଚନା ଦେଇଥିଲେ । ବର୍ଷା ଦିନରେ ଗାଁଗୁଡିକରେ ପାଣି ପାଇପ୍‌ କାମ ପାଇଁ ଠିକାଦାରମାନେ ସମସ୍ତ ରାସ୍ତା ଖୋଲି ଦେଇଥିବାରୁ ଲୋକେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା, ଦରକାର ସ୍ଥାନରେ ନୂତନ ନଳକୂଅ ଖୋଲାଯାଉନଥିବା ସମିତି ସଭ୍ୟ ତୋଫାନ ନାଗ, ସରପଞ୍ଚ ବିଶ୍ୱବିହାରୀ ଯୋଶୀଙ୍କ ସହ ଅନ୍ୟମାନେ ଅଭିଯୋଗ କରିଥିଲେ । ଗାଁରେଇରେ ପ୍ରତିଦିନ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଥିଲା । ଗତ ୨୦୨୨ ମାର୍ଚ୍ଚ ୧୨ ରାତିରେ ବ୍ଲକ ଅଧ୍ୟକ୍ଷଙ୍କ କୋଠରୀରୁ ମୂଲ୍ୟବାନ ସାମଗ୍ରୀ ଚୋରି ମାମଲାରେ ଏହି ସାମଗ୍ରୀ କିଣିବା ଅର୍ଥ ବ୍ଲକ ତହବିଲରୁ ଖର୍ଚ୍ଚ ହୋଇଥିଲେ ମଧ୍ୟ ତଦନ୍ତକୁ ନେଇ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସହ ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଉଚ୍ଚବାଚ ହୋଇଥିଲା । ଏହାରି ଉପରେ ତଦନ୍ତ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଥିଲେ । ଜିପିଡିପି ଯୋଜନାରେ ପ୍ରସ୍ତାବ ଦିଆଯାଇଛି ଗୃହୀତ ହୋଇନଥିବା, ମୁରିବାହାଲ ଅମୃତ ସରୋବର ଉନ୍ନତି ପାଇଁ ଅଧିକ ଅର୍ଥ ଦେବା, ସିଏଚ୍‌ସି ସମ୍ମୁଖ ରାସ୍ତାକୁ କଂକ୍ରିଟ୍‌ କରାଯିବା, ଭିନ୍ନକ୍ଷମଙ୍କୁ ତଦନ୍ତ କରି ଭତ୍ତା ପ୍ରଦାନ ନେଇ ଆଲୋଚନା କରାଯାଇଥିଲା । ପଞ୍ଚାୟତକୁ ଆସୁଥିବା ପିଡ଼ିଏସ୍‌ ସାମଗ୍ରୀ ସମ୍ପର୍କରେ ଯୋଗାଣ ସହାୟକମାନେ ଓ ଆବାସ ଯୋଜନାର ସମ୍ପୁର୍ଣ୍ଣ ତଥ୍ୟ ଜିଓ ଟେଗମାନେ ସରପଞ୍ଚମାନଙ୍କୁ ନଜଣାଇ ମନଇଚ୍ଛା କାର୍ଯ୍ୟ କରୁଥିବା ସମସ୍ତ ସରପଞ୍ଚ ଅଭିଯୋଗ କରିଥିଲେ । ଉଭୟ ଯୋଜନାରେ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ବିଡ଼ିଓ ଯୋଗାଣ ଅଧିକାରୀ ଅବିନାଶ ବିଶି ଓ ବିପିସି ରବୀନ୍ଦ୍ର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ବାଗ ସମସ୍ତେ ମିଳିମିଶି ସରକାରୀ ଯୋଜନାର ଲାଭ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ସଦସ୍ୟା ନିରୁପମା ଗହୀର, ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ମେଡିକାଲ ଇନ୍‌ଚାର୍ଜ ଡ. ଥବିର ମେହେର, ଇଲେକଟ୍ରିକାଲ ସେକ୍ସନ୍‌ ଅଫିସର ମହମ୍ମଦ ଜୁନୈଦ, ଏଏଓ ଅବିନାଶ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ଅବିନାଶ ବିଶି, ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଚକ୍ରଧର ହେର୍ନା, ତୋଫାନ ନାଗ, ଭୀମସେନ ବାଗ, ଟୁନାମଣି ମହାନନ୍ଦ, ଦୁଷ୍ମନ୍ତ ନାଗଙ୍କ ସହ ସମସ୍ତ ସମିତି ସଭ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବିଷୟର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେବଳ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଶେଷରେ ବିଡ଼ିଓ ଶ୍ରୀ ପଟେଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.