ଡୁଙ୍ଗୁରିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଗଜବନ୍ଧ ସରସ୍ୱତୀ ଶିଶୁ ମନ୍ଦିର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଧାନପାଲିର ଅଧ୍ୟକ୍ଷ ତଥା ପରିଚାଳନା ସମିତି କୋଷାଧ୍ୟକ୍ଷ ମାନନୀୟ ଭାଗିରଥୀ ମେହେର ଦୀପ ପ୍ଳଜ୍ୱନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗରେ ବାଳବର୍ଗରୁ ୩୦ ଜଣ, ଶିଶୁ ବର୍ଗରୁ ୩୩ ଜଣ ଓ ପ୍ରାକ୍ ଶିଶୁ ବର୍ଗରୁ ୪୩ ଜଣ ମୋଟ୍‌ ୧୦୪ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । କୁଇବାହାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜୟ ଧରୁଆ, ପଞ୍ଚାୟତ ଉଚ୍ଚବିଦ୍ୟାଳୟ ସମରଚିପାର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ୱାଗତିକା ବିଶି ତଥା ସାଲେପାଲି ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାସିନୀ ପାଢ଼ୀ ନିର୍ଣ୍ଣାୟକ ଭୂମିକା ସମାପନ କରିଥିଲେ । ପରିଚାଳନା ସମିତି ସଭାପତି ଶଙ୍କର କୁମାର ବେହେରା, ସଂପାଦକ ଡୋଳାମଣି ସେଠ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ସାହୁ, ସଦସ୍ୟା ସୀମା ପ୍ରଧାନ ଉପସ୍ଥିତ ଥିଲେ । ଶିଶୁ ବୈଜ୍ଞାନିକ ମାନେ ନିଜ ନିଜ ପ୍ରକଳ୍ପକୁ ଅତି ଅଭିନବ ଢଙ୍ଗରେ ଉପସ୍ଥାପିତ କରିଥିଲେ । ସମାରୋପ ଉତ୍ସବରେ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ସଂସ୍କୃତି, ବିଜ୍ଞାନ ଓ ପରିବେଶର ସମନ୍ମୟ ସହ ଅଭିନବତାକୁ ଦୃଷ୍ଟିରେ ରଖି ସରଳ ଓ ବ୍ୟବହାରିକ ବିଜ୍ଞାନ ପ୍ରକଳ୍ପ ଓ ଗାଣିତିକ ଚିନ୍ତାଧାରା ପ୍ରତି ଛାତ୍ରଛାତ୍ରୀ ଆଗ୍ରହୀ ହେବାକୁ ଆହ୍ୱାନ ଦେବା ସହ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଗଣିତ ପ୍ରମୁଖ ଗୌତମ ଗୁରୁଜୀ ଓ ବିଜ୍ଞାନ ପ୍ରମୁଖ ଗୁରୁଜୀ କପିଳାସ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିଶୁ ବାଟିକା ପ୍ରମୁଖ ଗୁରୁମା ପ୍ରିୟଙ୍କା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ, ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.