ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ରଣା ସଭାପତିତ୍ୱ ଓ ସୁଲେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବେ ଓ ଏଏସ ସ୍ମୃତିରେଖା ଭୋଇ, ସୋନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଭୋଇ, ନୃତ୍ୟ ଗୁରୁ ସୁଜିତ କୁମାର ସାହୁ ସମ୍ମାନୀତ ଅତିଥି ଓ ରେଖାରାମ ବାଗ ମୁଖ୍ୟ ବକ୍ତା ଭାବେ ଯୋଗଦାନ ଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପ୍ରକୃଷ୍ଟ ମାଧ୍ୟମ ସୁରଭି ବୋଲି ମତବ୍ୟକ୍ତ କରିଥିଲେ । ସିଆରସିସି ନରେନ୍ଦ୍ର ପୁରୋହିତ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ଯୋଗଦାନ କରିଥିଲେ । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, ବକୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, କୁଇଜ୍ ପରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅନ୍ଧାରିବାଞ୍ଜି ସରପଞ୍ଚ ତେଜୋମୟୀ ସାହୁ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିତାଇ ମଟାରୀ, ବିକାଶ ଭରାସାଗର ଓ ଛାତ୍ରୀ ରିନୁ ପଧାନ ସଂଯୋଜନା କରିଥିଲେ । ସୁଲେଇର ଉଭୟ ବିଦ୍ୟାଳୟର ସମସ୍ତ କର୍ମଚାରୀ, ବିଦ୍ୟାଳୟ ଦ୍ୱୟର ଏସଏମସି ସଦସ୍ୟ, ସୁଲେଇର ଗ୍ରାମବାସୀ ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ବିଚାରକ ମଣ୍ଡଳୀ ତଥା ଗଜବନ୍ଧ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ମଣ୍ଡିତ ହୋଇଥିଲା । ଶେଷରେ ସିଆରସିସି ନରେନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।