ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଖଡ଼ିଆଳ ବ୍ଲକର କୁଲିଗାଁ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦୀ କିଶୋର ତାଣ୍ଡି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡୋଲି ମାଝୀ ଓ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଏବଂ ବିଧାୟକ ପ୍ରତିନିଧି ଭାବରେ ଅକ୍ଷୟ ନନ୍ଦ ଏହି କାର୍ଯ୍ୟକ୍ରମ ଆଗକୁ ବଢିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ଓ ଭବିଷ୍ୟତରେ ଦେଶରେ ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ଏସଟି ଏସସି ଆବାସିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନିବନ୍ଧ ଲିଖନ, କୁଇଜ ପ୍ରତିଯୋଗିତା, ଭଳିବଲ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୁଲିଗାଁ ଆଶ୍ରମ ବିଦ୍ୟାଳୟର ସହ ଶିକ୍ଷକ ରଜନୀକାନ୍ତ ଯୋଷୀ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ଲକ ସମପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ଓ ଏଥିରେ ସମସ୍ତ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।
Next Post