ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମଙ୍କ ସହାୟତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଯୋଗଦାନ କରି କର୍ମଶାଳାର ଶୁଭାରମ୍ଭ କରିଥିଲେ । ଏସ୍‌ପି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ କିମ୍ବା ଅନ୍ୟ ସମୟରେ ଦେଖାଯାଉଥିବା ବିପର୍ଯ୍ୟୟର ମୁକାବିଲା ଦିଗରେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷା ଦେଇପାରିବ । ବିଶେଷ କରି ସାପ ଫସଲକୁ ସୁରକ୍ଷା କରିବା ଦିଗରେ ଆମକୁ ଅନେକ ସହଯୋଗ କରେ । ମୂଷାମାନଙ୍କୁ ନଷ୍ଟ କରିବାରେ ସାପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମେ କିନ୍ତୁ ସେହି ଜୀବକୁ ମାରି ଦେଉଛୁ । ଏହି ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି । ଆଜିର ଦିନରେ ଜୈବ ବିବିଧତାକୁ ସୁରକ୍ଷା ଦେବା ଜରୁରୀ ଅଟେ । କର୍ମଶାଳାରେ ଗୋପାଳପୁର ଟାଟା ମୁଖ୍ୟ ରକି ମାର୍ଟିନ୍‌ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ତହସିଲଦାର ଅରୁଣ ନାୟକ ଏବଂ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିଭିନ୍ନ ପ୍ରସ୍ତୁତି କରାଯାଉଛି, ତାହା ସେମାନଙ୍କ ଅନୁଭୂତି ସମ୍ପର୍କରେ ଅବଗତ କରାଇଥିଲେ । ଇଣ୍ଡିଆନ୍ କୋଷ୍ଟଗାର୍ଡ ଷ୍ଟେସନ୍, ଗୋପାଳପୁରର କମାଣ୍ଡେଣ୍ଟ ପ୍ରତୀକ୍ ମୋଦକ୍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ର ମଧ୍ୟରେ ସମସ୍ତ ବିଭାଗର ସହଯୋଗ କ୍ରମେ କିଭଳି ସୁରକ୍ଷା ପ୍ରଦାନ କରାଯାଉଛି ତାହା ଜଣାଇଥିଲେ । ଓଡିଶା ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଭାରତର ଅନ୍ୟ ରାଜ୍ୟରେ ଅନୁକରଣ କରାଯାଉଥିବା ପ୍ରକାଶ କରିଥିଲେ ।

ଓଏସ୍‌ଏପି ଅଷ୍ଟମ ବାଟାଲିୟନ୍‌, ଓଡ୍ରାଫ୍ ସହକାରୀ ଦୁର୍ଗପତି ଲକ୍ଷ୍ମୀ ନାରାୟଣ ବେହେରା ଆପତ୍ତି ବିପତ୍ତିରେ ଓଡ୍ରାଫ୍ ଦଳ କିଭଳି ଜନଜୀବନକୁ ସୁରକ୍ଷା କରିବା ଦିଗରେ କାର୍ଯ୍ୟ କରନ୍ତି ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ଜଣାଇଥିଲେ । ସତର୍କତା ହିଁ ଉଚ୍ଚତର ଜୀବନ ଯାପନ ପାଇଁ ମାର୍ଗ ପ୍ରସ୍ତୁତ କରେ ବୋଲି ମତ ରଖିଥିଲେ । ବିପର୍ଯ୍ୟୟ ସମୟରେ ସାପ କାମୁଡାର ସୁରକ୍ଷା କିପରି କରିହେବ ସେ ସମ୍ପର୍କରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଆଶୀଷ କୁମାର ଦାଶ ସମ୍ପୂର୍ଣ୍ଣ ବିବରଣୀ ରଖିଥିବା ବେଳେ ଏହାର ଚିକିତ୍ସା କିଭଳି କରି ଜନଜୀବନକୁ ସୁରକ୍ଷିତ କରିହେବ ସେ ସମ୍ପର୍କରେ ଛତ୍ରପୁର ଉପଖଣ୍ଡ ମେଡିକାଲ ଅଧିକାରୀ ଡ. ହର ମୋହନ ପଣ୍ଡା ଅବଗତ କରାଇଥିଲେ । ଟାଟା କର୍ତ୍ତୃପକ୍ଷର ପରିଚାଳକ ପ୍ରମୋଦ କୁମାର ପାତ୍ର କର୍ମଶାଳାଟିକୁ ପରିଚାଳନା କରିଥିବା ବେଳେ ଈଶ୍ୱର କୁମାର ପରିଡା କର୍ମଶାଳାରେ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକର ସମସ୍ତ କୂଳବର୍ତ୍ତୀ ଅଞ୍ଚଳର ଅଙ୍ଗନୱାଡି କର୍ମୀ, ଶିକ୍ଷକ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ, ଓଡ୍ରାଫ୍ ଟିମ୍‌ର କର୍ମକର୍ତ୍ତା, ଭାରତୀୟ ସାମୁଦ୍ରିକ ତଟରକ୍ଷୀ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କର୍ମକର୍ତ୍ତା, ଅଧିକାରୀ, କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିଣୀ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.