
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ରରେ ବାଘମୁଣ୍ଡ କେନ୍ଦ୍ରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋକୁଳାନନ୍ଦ ମେହେରଙ୍କ ଆୟୋଜନ କ୍ରମେ ଶିଶୁ ମହୋତ୍ସବ ସୁରଭି -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଘମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୁତ ପୂର୍ବ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁପ୍ତେଶ୍ୱର ଛତର ଓ ସମ୍ମାନିତ ଅତିଥି ଭାବରେ ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ମଞ୍ଚ କଳାକାର ଶାନ୍ତନୁ କୁମାର ସାହୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଥମେ ବାଗ୍ଦେବୀ ମା’ ସରସ୍ୱତୀଙ୍କ ପୂଜନ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ଶୃତଲିଖନ ଓ ହସ୍ତାକ୍ଷର, ସଂଗୀତ, ମଧ୍ୟାହ୍ନ କାର୍ଯ୍ୟକ୍ରମର ଚିତ୍ରକଳା ଓ ହସ୍ତଶିଳ୍ପ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକମାନଙ୍କ ମାଧ୍ୟମରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ମୂଲ୍ୟାଙ୍କନ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରକୁ ପଠାଯିବାର ସୂଚନା ପ୍ରଦାନ କରାଯାଇଥିଲା । ବାଘମୁଣ୍ଡ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ବନମାଳୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ବାଘମୁଣ୍ଡ ସାଧନ କେନ୍ଦ୍ରାଧୀନସ୍ଥ ବାଘମୁଣ୍ଡ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ନଳିନୀ ଭୁଏ, ଦୁଂଦେଲ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ବର୍ଗେ, କାଦୋପାଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେମବତୀ ବରିହା, ଲୁହୁରେଟ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଆଶୁତୋଷ ସାହୁ, ଅଜୟ ସୁନା, ନାରାୟଣ ବିଶ୍ୱାଳ, ହିର୍ଲି ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଅଙ୍କିତ କୁମାର ମାଝୀ, ରମେଶ ଖୁଣ୍ଟିଆ, ଲୁହାଖନ ପ୍ରାଥମିକ ବିଦ୍ୟାଳୟର ଚନ୍ଦ୍ରଭାନୁ ପୁଟେଲ, ଚଂଗରିଆ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ଭୋଇ, ଛବିଲାଲ ମେହେର, ରେଙ୍ଗାଳଜୁରୀ ବିଦ୍ୟାଳୟର ଶିକ୍ଷକ ରୁଦ୍ରମଣୀ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପୁରସ୍କାର ବିତରଣ ପରେ ବାଘମୁଣ୍ଡ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ମାଧବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।