ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜିର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜିର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବେ । ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍ଟି ଡିସିପ୍ଲିନାରୀ ଇଞ୍ଜିନିୟରିଂ ଓ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନ୍‌ଆଇଟି ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ । ଏଥିରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ, ସ୍କିଲ୍ ଡେଭେଲପମେଣ୍ଟ କେନ୍ଦ୍ର, ସ୍କୁଲ ଅଫ୍ ମେଡିକାଲ ଟେକ୍‌ନୋଲୋଜି ଓ ସ୍କୁଲ ଅଫ୍ ବେସିକ୍ ସାଇନ୍ସ୍ ପରି ୭ଟି ସ୍କୁଲ୍ ରହିବ । ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ପାଠ ପଢୁଛନ୍ତି । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍‌ଧ ହେବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହା ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.