
ତୁଷୁରା, (କେପିଏନ୍ଏସ୍) : ଲାର୍ଣ୍ଣ ଲିଙ୍କ୍ସ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସିଆର୍ସିସିମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଲକର ୭୫ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଉକ୍ତ ପ୍ରଶିକ୍ଷଣକୁ ଫାଉଣ୍ଡେସନର ରାଜ୍ୟ ମୁଖ୍ୟ ଶୁଭ ପ୍ରସାଦ ସାହୁ, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସମେତ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ ଏବଂ ଫାଉଣ୍ଡେସନର କର୍ମକର୍ତ୍ତାଗଣ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣରେ “ରୋଡ୍ ଟୁ ସ୍କୁଲ୍” ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରଶିକ୍ଷକ ରାଧାକାନ୍ତ ମେହେର ଶିକ୍ଷକମାନଙ୍କୁ ଡିଜିଟାଲ ସାକ୍ଷରତା କୌଶଳ ଗୁଡ଼ିକ ଉପରେ ପ୍ରଶିକ୍ଷିତ କରିଥିଲେ । ଯାଦ୍ୱାରା ଶିକ୍ଷକମାନେ ଡିଜିଟାଲ ସାଧନ ବ୍ୟବହାର କରିବା, ସୂଚନାକୁ ସଠିକ୍ ରୂପେ ଖୋଜିବା, ସୂଚନାକୁ ପରୀକ୍ଷା କରି ଦେଖିବା ତଥା ଉକ୍ତ ସୂଚନା ଗୁଡିକୁ ପିଲାଙ୍କ ଶିଖିବା ପାଇଁ ସୃଜନାତ୍ମକ ଭାବେ ବ୍ୟବହାର କରିବା ଆଦି କୌଶଳ ବିଷୟରେ ଅବଗତ ହୋଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଶିକ୍ଷକମାନେ ଖୁବ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଫାଉଣ୍ଡେସନକୁ ଅନୁରୋଧ କରିଥିଲେ । ଫାଉଣ୍ଡେସନ ତରଫରୁ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ ପୁଲ ଚାରା ଉପହାର ଦିଆ ଯାଇଥିଲା । ଶେଷରେ ବ୍ଲକ ସଂଯୋଜକ ତାରା ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସମ୍ବଳ ଶିକ୍ଷକ (ଆର୍.ପି) ସହଯୋଗ କରିଥିଲେ ।