oom

ଅନ୍ୟା ଆସରରେ ପୁସ୍ତକ ଉନ୍ମୋଚିତ

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସମ୍ବଲପୁର କଳାକେନ୍ଦ୍ର ପ୍ରେକ୍ଷାଳୟରେ ଗତକାଲି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଅନ୍ୟା’ ପକ୍ଷରୁ ଆୟୋଜିତ ଏକ ସଭାରେ ଡ. ଦ୍ୱାରିକାନାଥ ନାୟକ ଓ ପ୍ରଶାନ୍ତ ମାଝୀଙ୍କ ଲିଖିତ ‘ସମ୍ବଲପୁର ରଙ୍ଗମଞ୍ଚର ସୃଷ୍ଟି ଓ ସ୍ରଷ୍ଟା’ ନାମକ ଏକ ପୁସ୍ତକ ଉନ୍ମୋଚିତ ହେବା ସହ ନାଟ୍ୟବିତ ତଥା ସଂସ୍କୃତିପ୍ରେମୀ ଡ. ଦ୍ୱାରିକାନାଥ ନାୟକଙ୍କ ଆତ୍ମଜୀବନୀ ‘ନିଜସ୍ୱ ସଂଳାପ’ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । କବି ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ କବି ନାଟ୍ୟକାର ବିନୋଦ କୁମାର ପଶାୟତ ପୁସ୍ତକଟିକୁ ଉନ୍ମୋଚନ କରି କହିଥିଲେ ଯେ, ଏଭଳି ପୁସ୍ତକ ନାଟ୍ୟକାରମାନଙ୍କୁ ଆହୁରି ଉଚ୍ଚାଙ୍ଗ ନାଟକ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇବ । ମୁଖ୍ୟବକ୍ତା ସାହିତ୍ୟିକ ମୋହନ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପୁସ୍ତକରେ ସମ୍ବଲପୁରର ବହୁ ପ୍ରସିଦ୍ଧ ନାଟ୍ୟକାରମାନଙ୍କ ନାଟ୍ୟ ସୃଷ୍ଟି ସମ୍ବନ୍ଧୀୟ ସୂଚନା ସାଙ୍ଗକୁ କେତେକ ଅନାଲୋଚିତ ବା ଅଳ୍ପାଲୋଚିତ ନାଟ୍ୟକାରମାନଙ୍କ ନାଟ୍ୟ ସୃଷ୍ଟିଗୁଡିକର ସୂଚନା ରହିଛି ଯାହା ପରବର୍ତ୍ତୀ ସମୟରେ ଏହି କ୍ଷେତ୍ରରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ସହାୟକ ସିଦ୍ଧ ହେବ । ଆତ୍ମଜୀବନୀ ‘ନିଜସ୍ୱ ସଂଳାପ’ ଉପରେ ସମୀକ୍ଷା କରି ସେ କହିଥିଲେ ଯେ, କୌଣସି ଆତ୍ମଜୀବନୀ ପରୋକ୍ଷରେ ଏକ ଐତିହାସିକ ଉପାଦାନ ସମ୍ବଳିତ ଗ୍ରନ୍ଥ ହୋଇଥାଏ । ଆତ୍ମଜୀବନୀକାର ନିଜ ସମୟର ଯେଉଁ ସାମାଜିକ ଗତିବିଧି ଓ ନିଜ ଜୀବନକାଳର ଜୀବନ ସଂଘର୍ଷର ବର୍ଣ୍ଣନ କରିଥାଏ ସେଥିରୁ ପରବର୍ତ୍ତୀ ସମୟରେ ଏକ ସମାଜ, ଗୋଷ୍ଠୀ, ଶାସନ ବ୍ୟବସ୍ଥା ଆଦିର ଉପାଦାନ ଐତିହାସିକମାନଙ୍କୁ ମିଳିପାରିବ । ସାହିତ୍ୟିକ ଡ. ଗୌରିଦାସ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ କବି ସୌଭାଗ୍ୟବନ୍ତ ମହାରଣା, କବି ଦୁର୍ଗା ପ୍ରସାଦ ପଣ୍ଡା, ଅଭିନେତ୍ରୀ ମମତା ପଣ୍ଡା ପ୍ରମୁଖ ‘ନିଜସ୍ୱ ସଂଳାପ’ ଉପରେ ପାଠକୀୟ ମନ୍ତବ୍ୟ ରଖିଥିଲେ । ଡ. ଦ୍ୱାରିକାନାଥ ନାୟକ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅଂଚଳର ବହୁ ବିଶିଷ୍ଟ ସାହିତ୍ୟିକ ଓ ନାଟପ୍ରେମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.