
ବରଗଡ଼, (ମୁନ୍ନା ସାହୁ) : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣା ମାତ୍ର ଘୋଷଣାରେ ରହିଗଲା । ଏପରି ଅଭିଯୋଗ ଆଣିଛି ବରଗଡ଼ ନାଗରିକ ମଞ୍ଚ । ଧନୁଯାତ୍ରା ସମୟରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜଦରବାରକୁ ଆସି ଘୋଷଣା କରିଥିଲେ ଯେ, ବରଗଡ଼ ଜିଲ୍ଲାବାସୀଙ୍କୁ ଗୋଟିଏ ମାସର ଅତିରିକ୍ତ ଚାଉଳ ସରକାରଙ୍କ ତରଫରୁ ଦିଆଯିବ କିନ୍ତୁ ତିନିମାସ ବିତିଯିବା ପରେ ମଧ୍ୟ ତାହା ମିଳିପାରି ନାହିଁ । ଏହାକୁ ନେଇ ଜିଲ୍ଲାବାସୀ ଚାତକପକ୍ଷୀ ପରି ଚାହିଁ ବସିଛନ୍ତି । ସେହିପରି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରୁଥିବା କଳାକାର ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି କହିଥିଲେ କିନ୍ତୁ ତାହା ବି ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେହିପରି ସରକାର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସଂସ୍କୃତି ବିଭାଗ ୧ କୋଟି ଟଙ୍କା ଓ ପର୍ଯ୍ୟଟନ ବିଭାଗ ୫୦ ଲକ୍ଷ ଟଙ୍କା ସହଯୋଗ ରାଶି ଦେଇ ଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କିନ୍ତୁ ସୂଚନା ଅଧିକାର ଅନୁସାରେ କେବଳ ପର୍ଯ୍ୟଟନ ବାବଦକୁ ୫୦ ଲକ୍ଷ ଆସିଥିବା ଜଣାପଡିଛି । ତେଣୁ ବରଗଡ଼ ନାଗରିକ ମଞ୍ଚର ସଦସ୍ୟମାନେ ଦାବୀ କରିଛନ୍ତି ଯେ ମନ୍ତ୍ରୀ ଘୋଷଣା କରିଥିବା ଗୋଟିଏ ମାସର ରାସନ, କଳାକାର ସହାୟତା ରାଶି ଓ ଧନୁଯାତ୍ରାକୁ ୧ କୋଟି ଟଙ୍କା ସହଯୋଗ ରାଶି ସରକାର କେବେ ଦେବେ ଜବାବ ଦିଅନ୍ତୁ ବୋଲି ଭବାନୀ ସାହୁ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶୟନ ପଣ୍ଡା, ଶିବାନନ୍ଦ ମଟାରୀ, ନିଖିଳ ପାଣିଗ୍ରାହୀ, ଗଙ୍ଗା ପୂଝାରୀ, ମହେନ୍ଦ୍ର ପୁରୋହିତ, ସୁଦାମ ସାହୁ, ଅଲିମ ରିଜବି, ଗୋବିନ୍ଦ ଶର୍ମା ଉପସ୍ଥିତ ଥିଲେ ।