centurian jitm

କପିଲାଭଟାରେ ଧାନମଣ୍ଡି ସ୍ଥାପନ : ଟିଟିଲାଗଡ଼ ଏଆର୍ ସିଏସ ଅଫିସର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଟିଟିଲାଗଡ଼, (ଅର୍ଜୁୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି ) ସ୍ଥାପନ ପାଇଁ ଆଜି ଟିଟିଲାଗଡ଼ ମଣ୍ଡଳ ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି । ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣିର ଗାର ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଥିବା କପିଲାଭଟା ପଞ୍ଚାୟତରେ ସ୍ଥାପନ କଲେ ନିକଟସ୍ଥ ପଂଚାୟତର ବିଭିନ୍ନ ଗାଁର ଚାଷୀ ଭାଇ ମାନେ ସୁବିଧାରେ ନିଜ ଉପାର୍ଜନ ଧାନକୁ ବିକ୍ରି କରି ପାରିବେ ବୋଲି ଆଶା କରିଛନ୍ତି । ଅଞ୍ଚଳର ଚାଷୀ ମାନେ ଧାନ ବିକ୍ରି କରିବା ପାଇଁ ଚୁଲିଫୁଙ୍କା ପ୍ୟାକ୍ସକୁ ଯାଇ ଖର୍ଚ୍ଚାନ୍ତ ହେବା ସହ ସେଠାରେ ଦିନ ରାତି ରହି ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଅଞ୍ଚଳବାସୀ ସାକ୍ଷାତ କରି ମଣ୍ଡି ସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ବିଧାୟକ ଲକ୍ଷ୍ମଣ ବାଗ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ( ଧାନମଣ୍ଡି ) ସ୍ଥାପନ ପାଇଁ କପିଲାଭଟା ଗ୍ରାମପଞ୍ଚାୟତର ସମିତିସଭ୍ୟ କେଦାର ଭୋଇଙ୍କ ନେତୃତ୍ୱରେ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ଧର୍ମେନ୍ଦ୍ର ଦାସଙ୍କ ସହ ଅଞ୍ଚଳବାସୀ ମାନେ ସାମିଲ ହୋଇଥିଲେ । ଟିଟିଲାଗଡ଼ ମଣ୍ଡଳ ସମବାୟ ସମିତି ସମୂହ ବରିଷ୍ଠ ସହକାରୀ ନିବନ୍ଧକ ସନ୍ତୋଷ କୁମାର ମଲ୍ଲିକ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.