ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେଲା ହରିଶଙ୍କର ରୋଡ଼ ଷ୍ଟେସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକ ଐତିହାସିକ ପଦକ୍ଷେପ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି । ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯୋଜନାରେ ୨୪,୪୭୦ କୋଟି ଟଙ୍କାର ଅନୁଦାନରେ ଭାରତର ୫୦୮ଟି ଷ୍ଟେସନକୁ ଏହି ଯୋଜନା ମାଧ୍ୟମରେ ନବୀକରଣ/ଆଧୁନିକିକରଣ ପାଇଁ ଯୋଜନା କରିଛନ୍ତି । ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳଗୁଡିକୁ ଏକିକୃତ କରିବା, ମଲ୍ଟିମୋଡାଲ୍ ଏକିକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା ପାଇଁ ଯୋଜନା ଅଛି । ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ ଭିଡିଓ କନଫରେନସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶାରେ ୫୭ଟି ଷ୍ଟେସନ ଏହି ଯୋଜନାରେ ସାମିଲ ହୋଇଥିଲା ବେଳେ ୨୫ଟି ଷ୍ଟେସନକୁ ପ୍ରାଥମିକତା ଦେଇ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ରୋଡ଼ ରେଳ ଷ୍ଟେସନ ଉକ୍ତ ଯୋଜନାରେ ସାମିଲ ହୋଇଛି । ଯାହାକି ୧୬.୬ କୋଟିର ଅନୁଦାନ ଦ୍ୱାରା ହରିଶଙ୍କର ରୋଡ଼ ଷ୍ଟେସନ ଏକ ନୂଆ ରୂପ ପାଇବାକୁ ଯାଉଛି । ତେଣୁ ହରିଶଙ୍କର ରୋଡ଼ ରେଳ ବିଭାଗ ତରଫରୁ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଲାଠୋର ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ, ସିଏସ୍‌ଟି ଉପେନ୍ଦ୍ର ଭୁମିଚ, ଏସ୍‌ଡିଇଇ ଆର୍‌କେ ମେହେର ଯୋଗ ଦେଇଥିଲେ । ହରିଶଙ୍କର ରୋଡ଼ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଥିବା ବେଳେ ଲାଠୋର ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ହରିଶଙ୍କର ରୋଡ଼ ଷ୍ଟେସନରେ ତିନୋଟି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବୀ ଉପସ୍ଥାପନା କରିଥିଲେ । ଏଥିସହିତ ଲାଠୋର ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡିଆର୍‌ଏମ୍‌ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ ।

Leave A Reply

Your email address will not be published.