
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଚଳିତ ବର୍ଷ ଆମ୍ବ ଚାଷୀଙ୍କ ପାଇଁ ଓର୍ମାସ, ଡିଆର୍ଡିଏ ତରଫରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ଫଳ ସ୍ୱରୂପ ଆଜି କଳାହାଣ୍ଡି ଜିଲ୍ଲାରୁ ଦିଲ୍ଲୀ ମଦର ଡାଏରୀକୁ ଦୁଇଟନ ଆମ୍ରପଲି ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେସନରୁ ରପ୍ତାନି ହୋଇଛି । କଳାହାଣ୍ଡି ଓର୍ମାସର ଫୁଡ ଆଣ୍ଡ କ୍ରାଫ୍ଟ ସିଇଓ ପ୍ରସନ୍ନ କୁମାର ନାୟକ, ବିଜନେସ ମ୍ୟାନେଜର ପ୍ରକାଶ ବେହେରା ନିଜର ଷ୍ଟାଫ୍ ମାନଙ୍କ ସାହାଯ୍ୟରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ଆଣି ସେଠାରୁ ସମତା ଏକ୍ସପ୍ରେସରେ ରେଳବାଇ ଏଜେଣ୍ଟ ଜାଫର ଖାଁଙ୍କ ସହାୟତାରେ ଦିଲ୍ଲୀ ମଦର ଡ଼ାଏରୀକୁ ପଠାଯାଇଛି । ପୂର୍ବରୁ ରାଞ୍ଚି ଓ ଝାରଖଣ୍ଡକୁ ଆମ୍ବ ପଠା ଯାଇଥିବା ବେଳେ ଆଗକୁ ବିଦେଶକୁ ଆମ୍ବ ରପ୍ତାନି କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସିଇଓ ପ୍ରସନ୍ନ ନାୟକ ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଏହା ସଫଳତାର ପରିଚୟ ସୃଷ୍ଟି କରିପାରିଛି । କଳାହାଣ୍ଡି ଜିଲ୍ଲା ଓର୍ମାସର ଡେପୁଟି ସିଇଓ ଶ୍ରୀ ଜର୍ଜ ଏମ୍ କେରକଟା ଓ ଜିଲ୍ଲା ଡିଆର୍ଡିଏ ଅଧିକାରୀଙ୍କ ଚେଷ୍ଟା ତଥା ଚାଷୀଙ୍କ ପରିଶ୍ରମର ଫଳ ସ୍ୱରୂପ କେବଳ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ଅନ୍ୟ ରାଜ୍ୟରେ କଳାହାଣ୍ଡି ଜିଲ୍ଲାର ଆମ୍ବକୁ ଲୋକେ ଆଦରି ନେଉଛନ୍ତି ।