jayashree

ମୃତ୍ୟୁ ପରେ ମଧ୍ୟ ଅମର ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ

ବରଗଡ଼, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ମଧ୍ୟ ଅମର ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ । ସୂଚନା ଅନୁସାରେ ସମ୍ବଲପୁର କୁଞ୍ଜେଳପଡା ସ୍ଥିତ ଭୋଳା ଟେଣ୍ଡ ହାଉସ ମାଲିକ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ)ଙ୍କର ସୋମବାର ସଡକ ଦୁର୍ଘଟଣାରେ ପ୍ରାଣ ଚାଲି ଯାଇଥିଲା । ଆଜି ତାଙ୍କର ପରିବାର ଲୋକେ ମୃତ ଚିଣ୍ଟୁଙ୍କ ଚକ୍ଷୁଦାନ କରି ମହାନତାର ପରିଚୟ ଦେଇଛନ୍ତି । ଚିଣ୍ଟୁଙ୍କ ଶରୀରରୁ ସୁରକ୍ଷିତ ଭାବରେ ବାହାର କରିଥିବା ଚକ୍ଷୁ ମାଧ୍ୟମରେ ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତି ନିଜର ଦୃଷ୍ଟି ଶକ୍ତି ଫେରି ପାଇବା ସହିତ ଏ ରଙ୍ଗୀନ ଦୁନିଆକୁ ଦେଖିପାରିବେ । ସୂଚନା ମୁତାବକ ସମ୍ବଲପୁର ନିବାସୀ ଚିତ୍ତରଞ୍ଜନ ଦାଶ(ଚିଣ୍ଟୁ) (୩୮) ବରଗଡ଼ ଇଥାନଲ କାରଖାନାରେ ମାନବ ସମ୍ବଳ ବିଭାଗରେ ଏଚ୍‌ଆର୍‌ ଭାବରେ କାର୍ଯ୍ୟରତ ଥିଲେ । ଗତକାଲି ସୋମବାର ଦିନ ସେ ନିଜ କାର ଚଳାଇ ନିଜ ଘର ସମ୍ବଲପୁରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଚିଣ୍ଟୁଙ୍କ କାର୍‌ର ଡାହାଣ ପଟେ ମାଡ଼ ହୋଇଥିଲା ଫଳରେ ଘଟଣାସ୍ଥଳରେ ଚିଣ୍ଟୁ ଗୁରୁତର ଆହତ ହୋଇଥିଲେ । ତାଙ୍କ ପଛପଟେ ତାଙ୍କର କିଛି ବନ୍ଧୁ ଅନ୍ୟ ଏକ କାରରେ ଆସୁଥିବା ବେଳେ ସେମାନେ ସଙ୍ଗେ ସଙ୍ଗେ ଚିଣ୍ଟୁଙ୍କୁ ବିକାଶ ହସ୍ପିଟାଲକୁ ଚିକତ୍ସା ପାଇଁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଚିଣ୍ଟୁଙ୍କ ପରଲୋକ ହୋଇଥିଲା । ଆଜି ମଙ୍ଗଳବାର ପରିବାର ଲୋକେ ଆସିବା ପରେ ଗ୍ରାମଞ୍ଚଳ ଥାନା ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର କରିବା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ଆଣିଥିଲେ । ଏଠାରେ ପରିବାର ଲୋକେ ଚକ୍ଷୁଦାନ ବିଷୟରେ ଜାଣିବାକୁ ପାଇବା ପରେ ଚକ୍ଷୁଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ତାଙ୍କ ଭାଇ ପିଣ୍ଟୁ ଦାଶଙ୍କ ସହମତି କ୍ରମେ ଆଜି ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ କର୍ମଚାରୀ ପ୍ରଭାସିନୀ ସ୍ୱାନଙ୍କ ଦ୍ଵାରା ସୁରକ୍ଷିତ ଭାବରେ କାର୍ଣ୍ଣିୟା ସଂଗ୍ରହ କରାଯାଇଥିଲା । ସେ ସମୟରେ ତାଙ୍କ ସହିତ ସମ୍ବଳ ଅନୁଷ୍ଠାନର ରାମଦାଶ ପଣ୍ଡା, ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ନିଷ୍ଠା ପରିବାରର ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଚିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚିଣ୍ଟୁ ଜଣେ ଉଚ୍ଚ ଶିକ୍ଷିତ, ଉଦ୍ୟମୀ ତଥା ପ୍ରତିଭାବାନ ବ୍ୟକ୍ତି ଥିଲେ । ଆଜି ତାଙ୍କର ବିୟୋଗରେ ସମ୍ବଲପୁର ସମେତ ବରଗଡ଼ରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.