jayashree

ଆମ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ

  • ଆଶୁତୋଷ ନାୟକ

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କା ଯୋଜନା ନାମରେ ହରିଲୁଟ କରୁଛନ୍ତି ଆମ ସମାଜର ବଡ଼ପଣ୍ଡା ବୋଲାଉଥିବା ନେତା, ମନ୍ତ୍ରୀ, ଅଫିସର । ରାଜନେତାଙ୍କ ଛତ୍ରଛାୟା ତଳେ ବଡ଼ବାବୁ, ଆଇଏସ୍‌ ଅଫିସର ମାନେ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି । ସାଧାରଣ ଜନତାଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ନିଜର ବିଶାଳ ସାମ୍ରାଜ୍ୟ ନିର୍ମାଣରେ ବିନିଯୋଗ କରୁଛନ୍ତି । ଆମ ରାଜ୍ୟ ଓଡିଶାରେ ଏବେ କିଛିଦିନ ମଧ୍ୟରେ ଅନେକ ବଡ଼ ମାଛ କୋଟିପତି ବାବୁ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଯେତେବେଳେ ସେଇ ବଡ଼ ହସ୍ତୀ ମାନଙ୍କର ସମ୍ପତ୍ତି ତାଲିକା ପ୍ରସ୍ତୁତ କରାଯାଇଥିଲା ଭିଜିଲାନ୍ସ ଅଧିକାରୀ ମାନେ ମଧ୍ୟ ଅବାକ ହୋଇଯାଇଥିଲେ । ଜବତ ହୋଇଥିବା କୋଟି କୋଟି ଟଙ୍କାର ପ୍ଲଟ କାହାର ଚାଳିଶି, କାହାର ସତୁରି ତ ପୁଣି କାହାର ପଂଚାବନଟି ପ୍ଲଟ । ଏହି ଘଟଣାରୁ ନବୀନ ସରକାର ସମୟରେ ଚବିଶ ବର୍ଷ ଧରି କ୍ଷମତାରେ ରହିଥିବା ସରକାରଙ୍କ ମନ୍ତ୍ରୀ ଏବଂ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଜ୍ୱଳନ୍ତ ଉଦାହରଣ । କଳାଧନର ସାମ୍ରାଜ୍ୟ କିପରି ବଡ଼ବାବୁ ଅର୍ଜନ କରିଥିଲେ ଏବଂ କିପରି ନବୀନ ସରକାର ସମୟରେ ଥିବା ନେତା ଓ ମନ୍ତ୍ରୀ ମାନେ ତାଙ୍କୁ ସୁରକ୍ଷା ଦେଉଥିଲେ ତାହା ଦୃଷ୍ଟିଗୋଚର ହେଉଛି । ଆମ ଦେଶରେ ବିଭିନ୍ନ ରାଜନୈତିକ ଦଳ କ୍ଷମତାରେ ରହିଛନ୍ତି । କିନ୍ତୁ ଦେଶ ସ୍ୱାଧୀନତାର ୭୮ବର୍ଷ ପରେ ମଧ୍ୟ ସାଧାରଣ ଗରିବ ଓ ମଧ୍ୟବିତ୍ତଙ୍କ ମୁଣ୍ଡପିଛା ଆୟ ସେପରି ଆଖିଦୃଶିୟା ବୃଦ୍ଧି ହୋଇନାହିଁ । ଏହାର ମୁଖ୍ୟ କାରଣ ହେଉଛି ସବୁ ରାଜନୈତିକ ଦଳ ମାନଙ୍କର ଗୋଟିଏ ଲକ୍ଷ୍ୟ ଭୋଟବ୍ୟାଙ୍କ ରାଜନୀତି । ମାଳ ମାଳ ଯୋଜନା ପ୍ରଣୟନ କରାଯାଉଛି କିନ୍ତୁ ସବୁ ରାଜନୈତିକ ଦଳ ମାନଙ୍କର ଯୋଜନାରେ ନିଜର ରାଜନୈତିକ ଅଭିଳାଶା ରହୁଛି ଯାହାଫଳରେ ନାଲି ଫିତା ତଳେ କାଗଜ କଲମରେ ଯୋଜନାର ରୂପରେଖ ରହିଯାଉଛି । ରାଜନୀତିର ପଶାପାଲିରେ ପେଶି ହେଉଛନ୍ତି ସାଧାରଣ ଗରିବ, ମଧ୍ୟବିତ୍ତ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆଜି ବି ଅନେକ ଅସହାୟ ବ୍ୟକ୍ତି ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାରୁ ବଞ୍ଚିତ । ସେମାନଙ୍କ ପାଇଁ ଯୋଜନା ଗୁଡିକ “ଆକାଶ କଇଁଆ, ଚିଲିକା ମାଛ ସଦୃଶ” । ସ୍ୱାଧୀନତାର ଏତେବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଆଜି ଯାଏ କୌଣସି ରାଜନୈତିକ ଦଳ ସାଧାରଣ ଜନତାଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସେପରି ଯୋଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ । ଆମ ଦେଶର ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତି ସମସ୍ତ ନିତ୍ୟବ୍ୟବହାର କରୁଥିବା ସାମଗ୍ରୀ ଯେପରି ସାମାନ୍ୟ ଛୁଞ୍ଚିଠୁ ଆରମ୍ଭ କରି ଫ୍ରିଜ ପର୍ଯ୍ୟନ୍ତ ଜିଏସ୍‌ଟି ଆକାରରେ ସରକାର କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଟୋଲଟାକ୍ସରେ ଅନେକ ରାଜସ୍ୱ ସରକାର କମାଉଛନ୍ତି । ଏପରିକି କ୍ୟାନସର, ଡାଇବେଟିସ, ହାର୍ଟଆଟାକ ପରି ଭୟଙ୍କର ରୋଗର ଉପଶମ ପାଇଁ ବ୍ୟବହୃତ ହେଉଥିବା ମେଡ଼ିସିନରେ ଆମ ସରକାର ୧୨% ଜିଏସ୍‌ଟି ଆଦାୟ କରୁଛନ୍ତି । ଗୋଟିଏ ସାଧାରଣ ଗରିବ, ମଧ୍ୟବିତ୍ତ ପରିବାର ପାଇଁ ଏହା “ବୋଝ ଉପରେ ଲଳିତା ବିଡା ସଦୃଶ” । ବର୍ତ୍ତମାନ ସମୟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ବୃଦ୍ଧି ସାଧାରଣ ଗରିବ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ନିଜର ଗୁଜୁରାଣ ମେଣ୍ଡାଇବା ପାଇଁ ସେମାନେ ରାତିଦିନ ସଂଘର୍ଷ କରୁଛନ୍ତି ଏବଂ ଯେଉଁମାନେ କ୍ୟାନସର, ଡାଇବେଟିସ, ହାର୍ଟ ଆଟାକ ପରି ଭୟଙ୍କର ରୋଗରେ ପୀଡିତ ସେମାନଙ୍କ ସମସ୍ତ ଝାଳବୁହା କଷ୍ଟ ଉପାର୍ଜିତ ଅର୍ଥ ବିନିଯୋଗ ହେଉଛି ମେଡ଼ିସିନ ଏବଂ ମେଡିକାଲ ଟେଷ୍ଟରେ । ସେଥିପାଇଁ ଅନେକ ସାଧାରଣ ବ୍ୟକ୍ତି ଋଣ ଭାରରେ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଆମ ସରକାରୀ କଳ ଏବଂ ଜଟିଳ ବ୍ୟବସ୍ଥା ଦାୟୀ । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଏବେ ବି ଅନେକ ଗରିବ ଓ ମଧ୍ୟବିତ୍ତ ପରିବାର ନିଜର ମୌଳିକ ଅଧିକାର ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ । ଆମ ରାଜ୍ୟ ଓଡିଶାରେ ୨୪ବର୍ଷ ଧରି ବିଜୁଜନତା ଦଳ ଶାସନ କ୍ଷମତାରେ ଥିଲା । ତଥାପି ରାଜ୍ୟର ୧୧ଟି ବୁଥରେ ପ୍ରାୟ ୧୦ହଜାର ଲୋକ ଭୋଟ ବର୍ଜନ କରିବା ଘଟଣା ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବନାହିଁ । ଏତିକି ସଂଖ୍ୟକ ଲୋକ କେବଳ ଭୋଟ ବର୍ଜନ କରିଛନ୍ତି ବୋଲି ସମସ୍ୟା କେବଳ ଏସବୁ ଅଞ୍ଚଳରେ ରହିଛି ଏହା କହିବା ନିଶ୍ଚିତ ଭାବେ ଅନ୍ୟାୟ ହେବ । ଏବେ ବି ରାଜ୍ୟର ଲକ୍ଷ ଲକ୍ଷ ଗରିବ ମଧ୍ୟବିତ୍ତ ଲୋକଙ୍କ ପାଇଁ ନିଜର ମୌଳିକ ଅଧିକାର ପାଇବା ଦିବା ସ୍ୱପ୍ନ ସଦୃଶ । ନିଜର ପୁଞ୍ଜିବୁତ ଅସନ୍ତୋଷକୁ ଜାହିର କରିବା ପାଇଁ ଏଇ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ଆଉ କିଛି ଲୋକ ସ୍ଥିତି ଅସହ୍ୟ ହେବାରୁ ଶେଷ ଉପାୟ ଭାବେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ୨୦୧୪ ମସିହାରେ ୨୭୦୦୦ ମହିଳା ବିଭିନ୍ନ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିଲେ ଏବଂ ୬୦୦୦୦ ପୁରୁଷ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ୨୦୧୯ ମସିହାରେ ପାଖାପାଖି ୧ ଲକ୍ଷ ୧୮ ହଜାର ବ୍ୟକ୍ତି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୮୦୦୦୦ ପୁରୁଷ ଏବଂ ୩୪୦୦୦ ମହିଳା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ୨୦୨୧ ମସିହାରେ ଆମ ଦେଶରେ ୧ ଲକ୍ଷ ୬୪ ହଜାରରୁ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ବିବାହିତ ପୁରୁଷଙ୍କ ସଂଖ୍ୟା ୮୧୦୦୦ ଏବଂ ମହିଳାଙ୍କ ସଂଖ୍ୟା ୨୮,୬୮୦ ରହିଥିଲା । ଏବେ ନିକଟରେ ବେଙ୍ଗାଲୁରରେ ଏକ ଆଇଟି କମ୍ପାନୀର ଯୁବ ଏଆଇ ଇଞ୍ଜିନିୟର ଅତୁଲ ସୁବାଷ ଆମ ଆଇନ ବ୍ୟବସ୍ଥାରେ ରହିଥିବା ସାଙ୍ଘାତିକ ତ୍ରୁଟି ଏବଂ ପତ୍ନୀ ଓ ଶାଶୁଙ୍କ ଅକଥନୀୟ ମାନସିକ ନିର୍ଯ୍ୟାତନା ଓ ଅତ୍ୟାଚାର ସହିନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଦେଇଥିବା ୮୦ ମିନିଟର ଶେଷ ଭିଡ଼ିଓ ସନ୍ଦେଶ ଏବଂ ୨୪ ପୃଷ୍ଠାର ଚିଠି ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ । ଆମ ପ୍ରଶାସନ ଓ ସରକାରଙ୍କୁ ଏହା ଗୁରୁତର ସହ ନେବାକୁ ପଡିବ । ଆମ ନ୍ୟାୟ ବ୍ୟବସ୍ଥା କିପରି ବିକଳାଙ୍ଗ ହୋଇପଡିଛି ଏହି ଘଟଣା ଏହାର ଜ୍ୱଳନ୍ତ ପ୍ରଣାମ । ଆମ ସମାଜରେ ପ୍ରତିଷ୍ଠିତ ଅନେକ ବିଦ୍ୱାନ ବ୍ୟକ୍ତି ଏହା ମତବ୍ୟକ୍ତ କରନ୍ତି କି ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ମନ୍ତବ୍ୟ କଦାପି ମିଥ୍ୟା ହୋଇନଥାଏ । ଏକ ଏନ୍‌ଜିଓକୁ ଲେଖିଥିବା ନିଜ ୨୪ ପୃଷ୍ଠାର ଚିଠିରେ ଅତୁଲ ରାଷ୍ଟ୍ରପତିଙ୍କ ନାମ ଉଲ୍ଲେଖ କରି ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥା କଥା ବି କହିଛନ୍ତି । ଅତୁଲ ଲେଖିଥିବା ଚିଠିର ପ୍ରତି ପୃଷ୍ଠାରେ “ମୋତେ ନ୍ୟାୟ ମିଳିବା ଉଚିତ” ବୋଲି ଲେଖିଛନ୍ତି । ମୃତ୍ୟୁ ପରେ ତାଙ୍କ ପ୍ରାର୍ଥବ ଶରୀରକୁ ପତ୍ନୀଙ୍କୁ ନ ଛୁଇଁବାକୁ ସେ କହିଛନ୍ତି । ତାଙ୍କୁ ନିର୍ଯ୍ୟାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରବର୍ଗକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସବୁକିଛି ପ୍ରମାଣ ଥାଇ ଯଦି ଆମ ବ୍ୟବସ୍ଥା ତାଙ୍କୁ ନ୍ୟାୟ ଦେବାକୁ ଅସମର୍ଥ ହୁଏ ତେବେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭାଷାଇଦେବାକୁ ସେ ଅନୁରୋଧ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡମ୍ବନାର ବିଷୟ । ନିଜ ଶେଷ ଭିଡ଼ିଓ ସନ୍ଦେଶରେ ନିଜର ଦୁଃଖଭରା ଜୀବନ ବୃତ୍ତାନ୍ତକୁ ବର୍ଣ୍ଣନା କରିଛନ୍ତି । ବିବାହର ଦୁଇ ବର୍ଷ ପରେ ତାଙ୍କ ପତ୍ନୀ ଦେଢ଼ବର୍ଷର ପୁଅ ସହ ଛାଡି ପଳାଇଥିଲେ । ବାହାରେ ରହି ସବୁବେଳେ ଟଙ୍କା ଦେବା ପାଇଁ କହି ଶୋଷଣ କରୁଥିଲେ । ପ୍ରତିମାସ ୪୦ହଜାର ଟଙ୍କା ଭରଣପୋଷଣ ପାଇଁ ନେଉଥିଲେ କିନ୍ତୁ ପିଲାପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା କହି ୨-୪ଲକ୍ଷ ଟଙ୍କା ଦାବି କରିଥିଲେ । କୋର୍ଟରେ ମାମଲା ଯାଇଥିଲା କିନ୍ତୁ ଜୌନପୁର ଫାମିଲି କୋର୍ଟର ଲେଡି ବିଚାରପତି ରିତା କୌଶିକ ମାମଲା ଦଫାରଫା ପାଇଁ ତାଙ୍କୁ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଅତୁଲ କହିଛନ୍ତି । ଡ଼ିସେମ୍ବର ୯ ତାରିଖରେ ଇଣ୍ଟରନେଟରେ ୮୦ମିନିଟର ଭିଡ଼ିଓ ସନ୍ଦେଶ ଜାରି କରି ଆତ୍ମହତ୍ୟାର କାରଣ ସହ ନିଜର ଶେଷ ଇଛା ଏବଂ ଆମ ଆଇନ ବ୍ୟବସ୍ଥାର ବିକଳ ଚିତ୍ରକୁ ଉପସ୍ଥାପନା କରିଥିଲେ ଓ ନିଜ ଜୀବନକୁ ଶେଷ କରିବା ହିଁ ଅନ୍ତିମ ବିକଳ୍ପ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଷଡଯନ୍ତ୍ର କରି କିପରି ତାଙ୍କ ବିରୁଦ୍ଧରେ ୧୦ରୁ ଅଧିକ ମିଥ୍ୟା ମାମଲା କରାଯାଇଥିଲା । ଆମ ଭ୍ରଷ୍ଟ ନ୍ୟାୟ ବ୍ୟବସ୍ଥା ହିଁ ତାଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ । ଅତୁଲଙ୍କୁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ପତ୍ନୀ ଓ ଶାଶୁ ଉଷୁକାଇଥିବା ତାଙ୍କ ଭିଡ଼ିଓ ସନ୍ଦେଶରେ ସେ ଉପସ୍ଥାପନା କରିଛନ୍ତି । ଫାମିଲି କୋର୍ଟକୁ ବାରମ୍ବାର ଦୌଡିଦୌଡି ସେ ନୟାନ୍ତ ହୋଇପଡିଥିଲେ । ନ୍ୟାୟ ବଦଳରେ କୋର୍ଟରୁ ମିଳିଥିଲା ପ୍ରତାରଣା । ଏହାକୁ ସେ ନିଜର ଶେଷ ଭିଡ଼ିଓ ସନ୍ଦେଶରେ ବର୍ଣ୍ଣନା କରିଛନ୍ତି । ନାରୀ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ଉପରେ ରୋକ ଲଗାଇବା ୪୯୮ଏ ପରି କଠୋର ଆଇନ ଆସିଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଯୌତୁକ ପାଇଁ ହତ୍ୟା ମାମଲାର ହ୍ରାସ ଘଟିବ । କିନ୍ତୁ ଅତ୍ୟନ୍ତ ଦୁଃଖ ପରିତାପର ବିଷୟ ଏହିକି ଅନେକ ଅସାମାଜିକ ଯୁବତୀ ଏହି ଆଇନ ଦୁରପୋଯୋଗ କରି ନିରୀହ ଯୁବକଙ୍କୁ ଶୋଷଣ କରୁଛନ୍ତି ଏବଂ ବିଭିନ୍ନ ମିଥ୍ୟା ମାମଲାରେ ସେମାନଙ୍କୁ ଛନ୍ଦି ଦେଉଛନ୍ତି ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ । ବିଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଘଟଣା ସାମନାକୁ ଆସିଛି ଯେଉଁଠି ନିରୀହ ଅସହାୟ ପୁରୁଷ ଆମ ବିକଳାଙ୍ଗ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ଅନ୍ୟ ଉପାୟ ନପାଇ ଆତ୍ମାହୂତି ଦେବାକୁ ବାଧ୍ୟ ହେଉଛି । ଆମ ସଭ୍ୟ ମାନବ ସମାଜ ପାଇଁ ଏହା ହୃଦୟବିଦାରକ ଏବଂ ଦୁଃଖଦ ।

ଗୋପାଳପୁର, ବାଲେଶ୍ୱର
ମୋବାଇଲ-୭୦୨୦୬୧୧୩୦୦

Leave A Reply

Your email address will not be published.