‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ର

  • ଜୀବନ ସମ୍ଭାବନାମୟ, ତାକୁ ଖୋଜିବାକୁ ପଡିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପଳାୟନପନ୍ଥୀ ଓ କାପୁରୁଷ ହେଲେ ଆତ୍ମହତ୍ୟା କରିଥାଏ । ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ । ଜୀବନକୁ ଜିଇଁବାକୁ ହେଲେ ସାହସୀ ଓ ସଂଘର୍ଷର ଆବଶ୍ୟକତା ରହିଛି । ଈଶ୍ୱର ସମସ୍ତଙ୍କୁ ସମାଜରେ କିଛି କରିବାକୁ ନିର୍ଦ୍ଧାରିତ ଦାୟିତ୍ୱ ଦେଇଥାନ୍ତି । ତେଣୁ ଈଶ୍ୱର ଦେଇଥିବା ଦାୟିତ୍ୱ ଆମକୁ ତୁଲାଇବାକୁ ପଡିବ । ସମସ୍ତଙ୍କ ଜୀବନରେ ଅନେକ କିଛି ସମ୍ଭାବନା ରହିଥାଏ । ସେହି ସମ୍ଭାବନାକୁ ଆମକୁ ଖୋଜି ଜୀବନକୁ ଜିଇଁବାକୁ ପଡିବ । ଜୀବନରେ ଅନେକ ଉତ୍ଥାନ ପତନ ଆସିଥାଏ । ସଂଘର୍ଷ କରି ତାକୁ ସାମନା କରି ଜୀବନକୁ ଏକ ମଧୁମୟ ରୂପରେ ବଞ୍ଚିବାକୁ ହେବ । ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି । ଆଜି ଏହି ବ୍ୟାଧି ବଢିଚାଲିଛି । ମୁଖ୍ୟତଃ ଯୁବବର୍ଗରେ ଓ ଘରୋଇହିଂସା କାରଣରୁ ଏହା ବେଶି ପରିମାଣରେ ବଢୁଛି । ତେଣୁ ଛାତ୍ର ସମାଜ ସଚେତନ ହେବା, ଅବିଭାବକମାନେ ପିଲାଙ୍କ ସହିତ ଉତ୍ତମ ବୁଝାମଣା ରଖିବା ଓ ସର୍ବୋପରି ଧର୍ଯ୍ୟଶୀଳ ହେବାକୁ ପଡିବ ବୋଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ଓ ମାହେଶ୍ୱରୀ ସାମାଜିକ ସଂଗଠନ ପକ୍ଷରୁ ‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱ ଓ ମାହେଶ୍ୱରୀ ସଂଗଠନର ବିଷ୍ଣୁପ୍ରୀୟା ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର, ବଲାଙ୍ଗିର ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର, ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋହେଡ୍‌ ସାମ୍ବାଦିକ ମନୋରଂଜନ ଯୋଷୀ ଓ ସମ ମଲ୍ଟି ସ୍ପେସାଲିଟି ହସ୍‌ପିଟାଲର କ୍ଲିନିକାଲ ସାଇକୋଲୋଜିଷ୍ଟ ସୁଶ୍ରୀ ଅଙ୍କିତା ପରିଚ୍ଛା ଯୋଗ ଦେଇଥିଲେ । ବଲାଙ୍ଗିର ଏସ୍‌ପି ଶ୍ରୀ କୁଶଲକର ଆତ୍ମହତ୍ୟା ଘଟଣାମାନ କେଉଁ ସବୁ କାରଣରୁ ଘଟୁଛି ସେନେଇ ବିଶଦ ଭାବରେ ବୁଝାଇବା ସହିତ ଏହାର ନିରାକରଣ ସମ୍ବନ୍ଧରେ କହିଥିଲେ । ତହସିଲଦାର ଡ. ପଣ୍ଡା କହିଥିଲେ ଯେ, ଜୀବନରେ ସଂଘର୍ଷ ବିନା ସଫଳତା ମିଳିନଥାଏ । ନିଜର ଦୁଃଖକୁ ଅନ୍ୟ ସହିତ ଆଲୋଚନା କରିବା ଆବଶ୍ୟକ । ଅନ୍ତତଃ ନିଜ ବାପାମାଆ କିମ୍ବା ଘନିଷ୍ଟ ବନ୍ଧୁ ସହିତ ସେୟାର କରିବା ଜରୁରୀ । କୌଣସି ବିଫଳତା ଜୀବନର ଶେଷ ନୁହେଁ । ପ୍ରତ୍ୟେକ ବିଫଳତା ପରେ ସଫଳତା ମଧ୍ୟ ରହିଥାଏ ବୋଲି ଡ. ପଣ୍ଡା ମତବ୍ୟକ୍ତ କରିଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର କହିଲେ ଯେ, ମାନସିକ ସ୍ତରକୁ ଯଦି କେହି ଉଚ୍ଚକୁ ନେଇ ଜୀବନର ସୁନ୍ଦରତା ଓ ମାଧୁର୍ଯ୍ୟକୁ ବୁଝିବ ତାହେଲେ ସେ କେବେ ଆତ୍ମହତ୍ୟା କରିବ ନାହିଁ । ଆଇନ ଅପେକ୍ଷା ଆମର ସମାଜ ଆତ୍ମହତ୍ୟାର ବଡ ସମାଧାନ ବୋଲି ସେ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଯୋଷୀ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତିରେ ସବୁଥିର ସମାଧାନ ରହିଛି । ଭାରତୀୟତା ଓ ଭାରତର ପୁରାଣ ଶାସ୍ତ୍ରକୁ ଜାଣିଲେ ଅନେକ ସଂଘର୍ଷ ସଫଳତାର କାହାଣୀ ରହିଛି । ପୁରାଣର ଶ୍ରୀରାମ ଓ କର୍ଣ୍ଣଙ୍କ ଭଲି ଜୀବନଶୈଳୀର ଉଦାହରଣ ଦେଇ ଏହା ଆମକୁ ଶହ ଶହ ବର୍ଷଧରି ଶିକ୍ଷା ଦେଇ ଆସିଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ଅଙ୍କିତା ପରିଚ୍ଛା ବିଭିନ୍ନ ପ୍ରକାର ମାନସିକ ରୋଗ ଓ ଏହା ଯୋଗୁଁ ବଢୁଥିବା ଆତ୍ମହତ୍ୟାକୁ କେମିତି ରୋକାଯାଇ ପରିବ ସେ ସମ୍ପର୍କରେ ପାୱାର ପ୍ରୋଜେକ୍ଟ ମାଧ୍ୟମରେ ସୂଚନା ଦେଇଥିଲେ । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପ୍ରଶ୍ନ ପଚାରି ଆଲୋଚନା କରିଥିଲେ । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସହରର ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.