ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ବହୁ ପୁରାତନ ଓ ବିଶ୍ୱ ବିଦିତ । ଭାରତର ପ୍ରାଚୀନ ମୁନି ଋଷି ମାନଙ୍କ ଦ୍ୱାରା ପ୍ରଣୀତ ବେଦ, ବେଦାନ୍ତ, ଉପନିଷଦ ଏବଂ ପୁରାଣ ଶାସ୍ତ୍ରରେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ପାଇଁ ସ୍ପଷ୍ଟ ଏବଂ ବିଜ୍ଞାନ ସମ୍ମତ ନିର୍ଦ୍ଦେଶିକା ସନ୍ନିବେଶିତ । ମାତ୍ର ଆଧୁନିକତା ନାମରେ ଏବଂ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆଜିର ସମାଜ ପଥଭ୍ରଷ୍ଟ । ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଆୟୋଜିତ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଜଗତସିଂହପୁର ଶିଶୁ ଅନନ୍ତ ଆଶ୍ରମର ଅନ୍ୟତମ ସାଧକ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ବେଦ, ଉପନିଷଦ, ଭଗବଦ୍ ଗୀତା ପ୍ରଭୃତିର ବିଭିନ୍ନ ଜଟିଳ ତତ୍ତ୍ଵକୁ ସରଳଭାଷାରେ ବ୍ୟାଖ୍ୟା କରିବା ସହ ସମାଜର ଏ ଘଡିସନ୍ଧି ସମୟରେ ଆମର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ଅଜିତ ମୋହନ ପୁଜାରୀ ଏକ ଭକ୍ତି ରସାତ୍ମକ ଭଜନ ପରିବେଷଣ କରି ପରିବେଶକୁ ଅଧ୍ୟାତ୍ମ ମୟ କରିଦେଇଥିଲେ । ପାଠାଗାର ସମ୍ପାଦକ ଡ. ଗିରିଜା ଶଙ୍କର ଗୋସ୍ୱାମୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ନବଘନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଆଲୋଚନା ଚକ୍ରରେ ପାଠାଗାରର ସଦସ୍ୟ ସଦସ୍ୟା ମାନଙ୍କ ସହ ସହରର ଶତାଧିକ ଭଗବତ୍ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.