ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ “ପିତାମାତାଙ୍କ ଯତ୍ନ-ପରିବାରର ପରମ କର୍ତ୍ତବ୍ୟ” ଶୀର୍ଷକରେ ଏକ ସଚେତନତା ମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବିଶା ଶହେ କୁଲତା ସମାଜର କେନ୍ଦ୍ର ସଭାପତି ବେଲାଲସେନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମାଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି, ପିତାମାତାଙ୍କ ସେବା, ସମ୍ମାନ ଓ ଯତ୍ନ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ଆଧୁନିକ ସମାଜରେ ପରିବାରିକ ମୂଲ୍ୟବୋଧ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ପିତାମାତାଙ୍କ ଯତ୍ନ ଓ ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ସନ୍ତାନର ପରମ ଦାୟିତ୍ୱ । ସଚେତନତା, ଉତ୍ତମ ଶିକ୍ଷା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲା ସଦସ୍ୟ ଶତ୍ରୁଘ୍ନ ଭୋଇ, ଜୋନାଲ ସଦସ୍ୟ ଟଙ୍କଧର ଗଡତ୍ୟା, ଉପରବାହାଲ୍ ଆଞ୍ଚଳିକ ସଭାପତି ସୁରେଶ ବେହେରା, ଡାଙ୍ଗବାହାଲ ସଭାପତି ଖୁଟୁଲା ବାରିକ, ସଞ୍ଜୟ ଗଡତ୍ୟା (ଡୁଙ୍ଗୁରିପାଲି), ରାଜେନ୍ଦ୍ର ପାତ୍ର (ଡଙ୍ଗାଘାଟ) ପ୍ରମୁଖ ସ୍ଵକୀୟ ମତ ରଖିଥିଲେ । ହୃଷିକେଶ ସାହୁ ଓ ସଞ୍ଜୟ ଗଡତ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଗାମୀ ଦିନରେ ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ସମାଜକୁ ଏକ ସକାରାତ୍ମକ ଦିଗରେ ଆଗେଇ ନେବ ବୋଲି ଆଶା ପ୍ରକାଶ କରାଯାଇଛି ।