pakka

ଆଇନ ମହାବିଦ୍ୟାଳୟର ଦ୍ୱିଦିବସୀୟ ଆଲୋଚନାଚକ୍ର ଉଦ୍‌ଯାପିତ

bbehera
  • ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା, ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ : ଡଃ ସିଂହ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା । ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ କହିଛନ୍ତି । ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ ଆଲୋଚନାଚକ୍ରର ଦ୍ୱିତୀୟ ଦିନରେ ‘ଓଡିଆ ସାହିତ୍ୟରେ ଆଇନ ଚର୍ଚ୍ଚା’ ସଂପର୍କରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଡଃ ସିଂହ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ସଭପତିତ୍ୱ ଓ ରଂଜିତା ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ସମ୍ବଲପୁର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ବିଜୟାନନ୍ଦ ବେହେରା । ଏକାଡେମୀ, କଲିକତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ବିଶିଷ୍ଟ ସମାଲୋଚକ ଡଃ ପ୍ରଦୀପ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ଡଃ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଲେ ଯେ, ଆଇନ ବିଦ୍ୟାକୁ ଓଡିଆ ଭାଷାରେ ଲେଖାଗଲେ ତାହା ସୁଦୂର ପ୍ରସାରୀ ହୋଇପାରିବ ଓ ସମସ୍ତଙ୍କ ପାଇଁ ବୋଧଗମ୍ୟ ହୋଇପାରିବ । ଓଡିଆ ଭାଷାରେ ନ୍ୟାୟ ମିଳିଲେ ତାହା ସର୍ବୋତ୍କୃଷ୍ଟ ଓ ସର୍ବୋତ୍ତମ ହୋଇପାରିବ । ଚିନ୍ତାର ବ୍ୟାପକ ନହେଲେ ଭାଷା ଆସିବ ନାହିଁ । ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ପ୍ରଫେସର ଡଃ ବେହେରା କହିଲେ ଯେ, ଧ୍ୱନୀ ମଧ୍ୟ ଏକ ସାହିତ୍ୟ । ଆଇନର ଗଣ୍ଡି ମଧ୍ୟରେ ରହୁଥିବା ସମସ୍ତଙ୍କୁ ଆଇନ ସଂପର୍କରେ ଜାଣିବାକୁ ପଡିବ । ଭାଷା ହେଉଛି ଭାବ, ଆବେଗ, ଆତ୍ମିକ ଓ ଆଙ୍ଗିକର ସମନ୍ୱୟ । ଆଇନକୁ ସମୃଦ୍ଧ କରିବାରେ ଓଡିଆ ସାହିତ୍ୟର ଅବଦାନ ଅନେକ । ଅଧ୍ୟକ୍ଷତା କରି ଡଃ ସିଂହ କହିଲେ ଯେ, ଭାଷାକୁ ବ୍ୟକ୍ତ କରିବା ପାଇଁ ମାତୃଭାଷା ଅପରିହାର୍ଯ୍ୟ । ଜୀବନର କଥା କୁହେ ସାହିତ୍ୟ । ଆଇନ ଜୀବନକାଳ ସହ ଜଡିତ । ନ୍ୟାୟର ଏକ ସାର୍ଥକ ରୂପକାର ହେଉଛି ସାହିତ୍ୟ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବେହେରା ଅତିଥିମାନଙ୍କ ପରିଚୟ ଦେବାସହ ସଭାପତିତ୍ୱ ଅଭିଭାଷଣରେ କହିଲେ ଯେ, ସମାଜ ଗଠନ ପରଠାରୁ ସାହିତ୍ୟ ମିଶିଛି । ସାହିତ୍ୟ ଆସିବା ପରେ ଆଇନ ଆସିଛି । ତେଣୁ ସାହିତ୍ୟକୁ ସମାଜ କି ସମାଜକୁ ଆଇନ ଛାଡିପାରିବ ନାହିଁ । ତେଣୁ ସମାଜ, ସାହିତ୍ୟ ଓ ଆଇନ ପରସ୍ପରର ପରିପୂରକ । ପ୍ରଥମ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି । ଦ୍ବିତୀୟ ଅଧିବେଶନରେ ସାହିତ୍ୟିକ ଭୂପେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶାନ୍ତି ନିକେତନର ପ୍ରାଧ୍ୟାପକ ରବିନ୍ଦ୍ର କୁମାର ଦାସ ଗଳ୍ପ, କବିତା, ସାହିତ୍ୟରେ ଆଇନ ଚର୍ଚ୍ଚା ଓ ଡିଏଭି ସରକାରୀ ମହିଳା ମହାବିଦ୍ୟାଳୟର ନାଟ୍ୟକାର ଅଧ୍ୟାପକ ଡଃ ସଂଜୟ ହାତୀ ନାଟକରେ ଆଇନ ଚର୍ଚ୍ଚା ସଂପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ଉଭୟ ଆଲୋଚକ ଗଳ୍ପ, କବିତା, ସାହିତ୍ୟ ଓ ନାଟକରେ କିପରି ଆଇନ ପର୍ଯ୍ୟବେଶିତ ହୋଇଛି ସେ ବାବଦରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ତୃତୀୟ ଅଧିବେଶନରେ ଡଃ ପ୍ରଭାତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ନୀଳଶୈଳ ମହାବିଦ୍ୟାଳୟର ଅଧ୍ୟାପକ କମଳ ମହନ୍ତ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତି ଓ ଅବସରପ୍ରାପ୍ତ ପ୍ରଫେସର ଡଃ ରୁକ୍ମଣୀ ସାହୁ ନିଜର ପେପର ମାଧ୍ୟମରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ସୁଶ୍ରୀ ସଂଗୀତା ଦାଶ, ସ୍ୱାଗତିକା ନାୟକ, ଲିପ୍‌ସା ରାଣୀ ପୃଷେଠ, ସୁଚିତ୍ରା ସାହୁ, ଅଞ୍ଚଳ ପ୍ରଧାନ, ମାନସୀ ସା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସୁଶ୍ରୀ କରିସ୍ମା ପ୍ରଧାନ ଓ ସୁଶ୍ରୀ କିରଣ ସିଂହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଡଃ ରୁକ୍ମଣୀ ସାହୁଙ୍କ ପୁସ୍ତକ ‘ହେ ସାରଥୀ ରଥ ବାହିନିଅ’ ଓ ନିରଞ୍ଜନ ମେକାପଙ୍କ ‘ଜଗତଜନନୀ ଶାରଳା’ ପୁସ୍ତକକୁ ଅତିଥିଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓ ଆଲୋଚନାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ମହାବିଦ୍ୟାଳୟର ଶିବଶ୍ରୀ ପ୍ରସାଦ ଘଡେଇ, ବିଦ୍ୟାବତୀ ବାଘ, ସୌମ୍ୟରଂଜନ ମହାକୁଡ, ଅମନ ରାୟ, ଅଞ୍ଜନ ପୁରଣ, ଅନୀତା କୁମାରୀ, ଅରୁପା ପାଣ୍ଡେ, କୁଳଭୂଷଣ, ଲିପ୍‌ସା ପଟେଲ, ସୁସ୍ମିତା ଦ୍ବିବେଦୀ, ସୀମା ଓ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା, ଅଧ୍ୟାପକ ତନ୍ମୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା, ସୁଜାତା ନାୟକ, ଦେବାଶିଷ ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଅକ୍ଷୟ କୁମାର ଦାସ, ଅଜୟ ପାଣିଗ୍ରାହୀ, ନନ୍ଦ କିଶୋର ମହନ୍ତ, ହୃଦୟ ରଂଜନ ମହନ୍ତ, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ରାମ ବଣିଆ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେସହରର ବହୁ ବିଜ୍ଞ, ପ୍ରାଜ୍ଞ, ସାହିତ୍ୟିକ, କବି, ସାମ୍ବାଦିକ, ସମାଲୋଚକ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଡଃ ବେହେରା ଓ ସାହିତ୍ୟ ଏକାଡେମୀର ଡଃ ସିଂହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

jay balangir
Leave A Reply

Your email address will not be published.

nineteen − 19 =

error: Content is protected !!