ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

ଭୁବନେଶ୍ୱର : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ, ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପୋନ୍‌ଶର୍‌ସିପ୍‌ ଅବଧି ସମୟକୁ ୨୦୩୩ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ସ୍ପୋନ୍‌ଶର୍‌ସିପ୍‌ ଦାୟିତ୍ଵ ନେଇଛନ୍ତି । ୨୦୨୩ରୁ ୧୦ ବର୍ଷ ପାଇଁ ସ୍ପୋନ୍‌ଶର୍‌ କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଥିଲେ । ମୁଖ୍ୟଶାସନ ସଚିବ ପି. କେ. ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.