ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ରୋଗରେ ୪ ମୃତ ଏବଂ ଅନେକ ଆକ୍ରାନ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଝାଡ଼ାବାନ୍ତି ରୋଗରେ ୪ ମୃତ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମା ପଞ୍ଚାୟତର ଲାମ୍ବେରି ଗ୍ରାମର ଘଟଣା । ସୂଚନା ଅନୁଯାୟୀ ଆଜିକୁ ୭ ଦିନ ହେବ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଗାଁରେ ୧୨୦ଟି ପରିବାର ରହୁଥିବା ବେଳେ ଘରକୁ ଘର ଜଣେ ୨ ଜଣ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଗାଁ ପୁରା ଶୁନ୍‌ଶାନ୍‌ ହୋଇଥିବା ଦେଖିବାକୁ ମିଳୁଛି । ଆଜି ସାଦାଇ ନାଚିକା, ରାଳିକା ଆସିଡିଗା, କୁମୁଟା ନାଚିକା, ଲାକି କଳାକାଙ୍କ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ୪ ଜଣଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ଡାକ୍ତର ଦଳ ଗାଁକୁ ପହଞ୍ଚି ନାହାଁନ୍ତି । ସୂଚନା ଅନୁସାରେ ୪ ଜଣ ମୃତ୍ୟୁ ଓ ଅନେକେ ଆକ୍ରାନ୍ତ ପରେ ପାଖ ପଡିଶାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥି ପାଇଁ ଶବ ସତ୍କାର କରିବା ପାଇଁ ବନ୍ଧୁ ବାନ୍ଧବ ସାହି ପଡିଶା ଭୟ କରି କେହି ଯାଉ ନାହାଁନ୍ତି । ସେହି ଗାଁକୁ ଗଲେ ଆମ ଗାଁରେ ମଧ୍ୟ ଏହି ରୋଗ ବ୍ୟାପିବ ବୋଲି କେହି ଆସୁ ନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଲାମ୍ବେରି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.