ଜୟପୁର, (ଜଗନ୍ନାଥ ବିଷୋୟୀ) : କୌଣସି କାରଣରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ବୈପାରିଗୁଡ଼ା ଥାନା ଲିମାପୁଟର ଏମ. ଅଶୋକ କୁମାର(୪୦) ବୋଲି ଜଣାପଡିଛି । ଅଶୋକଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ହସପିଟାଲ୍ରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଟାଉନ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଆଇଆଇସି ସମ୍ବିତ କୁମାର ବେହେରା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନରେ ଶ୍ରୀ କୁମାରଙ୍କୁ ଜାତୀୟ ରାଜପଥ – ୩୨୬ ହାତୀଶାଳ ବାଇପାସ୍ ନିକଟରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ସେ ତଳେ ପଡ଼ିଯାଇଥିଲେ । ଖବର ପାଇ ଏସ୍ଆଇ ସଞ୍ଜୀବ କୁମାର ମହାନ୍ତି ସଦଳବଳେ ପହଞ୍ଚିଥିଲେ । ସେତେବେଳକୁ ଆକ୍ରମଣକାରୀ ଫେରାର୍ ହୋଇଯାଇଥିଲେ । ପୁଲିସ ଶ୍ରୀ କୁମାରଙ୍କୁ ଉଦ୍ଧାର କରି ଡିଏଟଏଚ୍କୁ ନେଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସର୍ଜରୀ ୱାର୍ଡରେ ଭର୍ଭି କରାଯାଇଥିଲା । ଆକ୍ରମଣର ପ୍ରକୃତ କାରଣ ଜଣାପଡିନି । ଚର୍ଚ୍ଚା ହେଉଛି, ଜାଲ୍ ଆଦିବାସୀ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତିକୁ ଶ୍ରୀ କୁମାର ବିରୋଧ କରୁଥିଲେ । ଆଦିବାସୀ ବୋଲି ପ୍ରମାଣପତ୍ର ହାତେଇ ବିଭିନ୍ନ ସୁବିଧା ସୁଯୋଗ ହାତେଇବା ସହ ନିର୍ବାଚନରେ ଭାଗ ନେବାକୁ ତୀବ୍ର ସମାଲୋଚନା କରୁଥିଲେ ।