ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ଅବା ଓଏଏସ ପଦବୀରେ କାର୍ଯ୍ୟରତ ଗଞ୍ଜାମ ଅଧିକାରୀଙ୍କ ଉପରେ ଆକ୍ରମଣ ବଢୁଛି । ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏମିତି କେତେଥର ହେଲା ଅଭିଯୋଗ ଆଣି ଓଏଏସ ସଂଘ ପକ୍ଷରୁ ଦାବୀପତ୍ର ଦିଆଯାଇଥିଲେ ସୁଦ୍ଧା ଡରୁନାହାଁନ୍ତି ମାଫିଆ, ଦଲାଲ ସାହୁକାର ଓ ତାଙ୍କ ସହକାରୀ ଗୁଣ୍ଡାମାନେ । ପୋଲିସକୁ ସାଲିସ କରି ଚାଲିଥିବା ଉକ୍ତ ସାହୁକାରମାନଙ୍କ ଦ୍ୱାରା ଏସବୁ ଘଟୁଛି, ଯାହା ସେମାନଙ୍କର ଗୁଣ୍ଡାମାନେ ବିଭିନ୍ନ ଅଞ୍ଚଳରେ ରାଜ ଚଳାଇଛନ୍ତି । ତେବେ ସାଧାରଣ ଲୋକ କିଭଳି ନିରାପତ୍ତା ମଣିବେ, ଏକଥା ପ୍ରଶାସନ ବୁଝିବା ଜରୁରୀ ବୋଲି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।
ଅତି ନିକଟରେ ଘଟିଛି, ଆଉ ଏକ ଘଟଣା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁରେ ମଦ ଧରପଗଡ଼ ବେଳେ ତହସିଲଦାର ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ମାରିଥିବା ଘଟଣା ସାଧାରଣରେ ଘୋର ନିନ୍ଦା କରାଯାଇଛି । ତେବେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହା ସର୍ଵସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ ଅନୁପାଳନ ନିମନ୍ତେ ତହସିଲଦାର ଅମୀତ୍ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ମାରଣାତ୍ମକ ଆକ୍ରମଣ କରି ରକ୍ତାକ୍ତ କରିଥିବା କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି ଏବଂ ଏହି ଘଟଣାରେ ସଂପୃକ୍ତି ଥିବା ଉକ୍ତ ଆକ୍ରମଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯିବା ଜରୁରୀ । ସେମାନଙ୍କ ପ୍ରତି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଓଡିଶା ପ୍ରଶାସନିକ ସେବା ଗଞ୍ଜାମ ଶାଖା ସଂଘ ଦାବୀ କରିଛନ୍ତି । ସଂପୃକ୍ତ ଘଟଣାରେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ତହସିଲଦାର ଶ୍ରୀ ନାୟକ ଏବଂ ଅବକାରୀ କର୍ମଚାରୀମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସେମାନଙ୍କୁ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ । ଉକ୍ତ ସମୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ଓଡିଶା ପ୍ରଶାସନିକ ସେବା ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଓଡିଶା ପ୍ରଶାସନିକ ସେବା ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଏବଂ ପ୍ରଶାସନିକ ସେବା ସଂଘର ଅନ୍ୟାନ୍ୟ ଅଧିକାରୀ ଗଣ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏଭଳି ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ରଖିଛନ୍ତି ।