ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ଗ୍ରାମରେ ରାଜ୍ୟସ୍ତରୀୟ “ଅକ୍ଷୟ ତୃତୀୟା” ଉତ୍ସବ ପାଳିତ ହୋଇଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜମିକୁ ବିଧି ଅନୁଯାୟୀ ଗୋରସ ଢ଼ାଳିବା ପରେ ହଳ, ନଙ୍ଗଳ, କୋଦାଲ ଓ ବଳଦ ଯୋଡ଼ିକୁ ପୂଜା କରି ନିଜେ ହଳ କରି ଅକ୍ଷୀମୁଠି ଅନୁକୂଳ କରିଥିଲେ । ବରିକେଲ ଗ୍ରାମର ଚାଷୀ ମନୋରଞ୍ଜନ ସାହୁଙ୍କ ଜମିରେ ପାଳିତ ହୋଇଥିବା ଏହି ଅକ୍ଷୀମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଚାଷୀଙ୍କ ସହ ବରଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ଗୋବର୍ଦ୍ଧନ ଅଗ୍ରୱାଲ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ମଦନ ମୋହନ ପଟେଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ସାହୁ, ବରଗଡ଼ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ, ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, କାଉନସିଲର ଚିନ୍ମୟ କୁମାର ପଣ୍ଡା, ପ୍ରମୋଦ ମେହେର, ମେନେଜର ପଟେଲ, ହରେକୃଷ୍ଣ ପଟେଲ, ଆଇନଜୀବୀ ରାଜକିଶୋର ସାହୁ, ହାଡୁ ସାହୁ, ବଳରାମ ସାହୁ, କୌଲାସ ଦିଶ୍ରୀ, ଶୁଶାନ୍ତ ନାଗ, ମଣ୍ଟୁ ପାଣ୍ତେ, ଜ୍ୟୋସ୍ନା କର, ବାସୁଦେବ ପାଣିଗ୍ରାହୀ, କେତନ ମେହେର, ଭୀଷ୍ମଦେବ ସାହୁଙ୍କ ସମେତ ବହୁତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଅକ୍ଷୀମୁଠି ସମାପ୍ତ ହେବାପରେ ଅନୁଷ୍ଠିତ ଚାଷୀ ସମାବେଶରେ ଦେଶ ପାଇଁ ସଂଗ୍ରାମ କରିଥିବା ଶ୍ରମିକ ଓ ବିଶିଷ୍ଟ ଚାଷୀମାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ମୁଖ୍ୟ ଅତିଥି ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜେପି ବରିକେଲ ମଣ୍ଡଳ ସଭାପତି ତଥା ବରିଷ୍ଠ ଚାଷୀ ସୌକିଲାଲ ସାହା ପରିଚାଳନା କରିଥିଲେ । ତେବେ ଚଳିତ ବର୍ଷ ଭଲ ବର୍ଷା ହେଉ ଏବଂ ଚାଷୀକୂଳ ଉପକୃତ ହୁଅନ୍ତୁ ବୋଲି ପ୍ରଦୀପ ପୁରୋହିତ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷୀମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।