ସଇଁତଲାରେ ବ୍ୟାପୁଛି ଆଖିଧରା ରୋଗ : ସଚେତନ କରୁନାହାନ୍ତି ସ୍ୱାସ୍ଥ୍ୟ ବିଭାଗ

ସଇଁତଲା, (ପ୍ରମୋଦ ସେଲମା) : ସାରା ରାଜ୍ୟରେ ବର୍ତ୍ତମାନ ଆଖିଧରା ରୋଗ ପାଇଁ ଆତଙ୍କ ଖେଳିଯାଇଛି । ଏହି ଆଖିଧାରା ରୋଗ ଡିଆଁ ରୋଗ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସଚେତନ ଅଭାବ ଯୋଗୁଁ ଜନସାଧାରଣ ତଥା ଶିକ୍ଷାନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଛୋଟ ଛୁଆମାନେ ମଧ୍ୟ ଆଖିଧରା ରୋଗରୁ ବାଦ ପାରୁନାହାନ୍ତି । ଅନ୍ୟପଟେ ଆଖିଧରା ରୋଗ ପାଇଁ ଡାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ନ ଥିବା ଯୋଗୁଁ ଲୋକେ ହଇରାଣ ହରକତ ହେବାକୁ ପଡୁଛି । ଏହି ରୋଗ ବ୍ୟାପୁଥିବାରୁ ଲୋକେ ବିନା ପରାମର୍ଶରେ ନିଜ ଅଂଚଳରେ ଥିବା ଔଷଧ ଦୋକାନରୁ ଆଖି ପାଇଁ ଉଦ୍ଧିଷ୍ଟ ଡ୍ରପ କିମ୍ବା ଔଷଧ କିଣୁଥିବା ଦେଖାଦେଇଛି । ଯାହା ଫଳରେ ଆଖିଧରା ରୋଗ ନ ହୋଇ କୌଣସି ଆଖି ରୋଗ ହୋଇଥିଲେ ଆଖି ନଷ୍ଟ ହେବାର ସମ୍ଭାବନା ଦେଖା ଦେଇପାରେ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଆଖିଧରା ରୋଗ ଡିଆଁ ରୋଗ ହୋଇଥିବା ବେଳେ ସାଧାରଣତଃ ଆଖି ଲାଲ ହେବା ସହ ୪/୫ ଦିନ ମଧ୍ୟରେ ଛାଡିଥାଏ । କୌଣସି ଆଖି ଡ୍ରପ ନ ପକାଇଲେ ମଧ୍ୟ ଠିକ୍‌ ହେବ । ବେଶି ଦିନ ଆଖି ଲାଲ ରହିଲେ ଚକ୍ଷୁ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କରିପାରିବେ । ଏପଟେ ସଇଁତଲା ଅଂଚଳରେ ଆଖିଧରା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଉଦ୍‌ବେଗର କାରଣ ହୋଇଛି । ଏଣୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସଚେତନ କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ଦେବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.