
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବର ଦ୍ୱତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶ ମେଳା-୨୦୨୫ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ବର୍ଷ ପୂର୍ତ୍ତି ପାଳନ କ୍ରମରେ ବାରିପଦାସ୍ଥିତ କଲେଜ ପଡିଆଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଉକ୍ତ ଜିଲ୍ଲାସ୍ତରୀୟ ଉତ୍ସବର ଆଜି ଦ୍ଵିତୀୟ ଦିବସରେ ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ବିଧାୟକ ଉଦଳା ଭାସ୍କର ମଢେଇ, ବିଧାୟକ ବାରିପଦା ପ୍ରକାଶ ସୋରେନ, ବିଧାୟକ ସାରସକଣା ଭାଦବ ହାଁସଦା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମକ୍ଷନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ଭକ୍ତିପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବାରିପଦା ବିଧାୟକ ପ୍ରକାଶ ସୋରେନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନାର ଓ ଉନ୍ନୟନ ମୂଳକ ପ୍ରକଳ୍ପର ସଫଳତା ଓ ଉପଲବ୍ଧି ସମ୍ଭନ୍ଧରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ଲୋକଙ୍କ ସେବାରେ ସମର୍ପିତ ଆମ ସରକାରଙ୍କୁ ରାଜ୍ୟରେ ଏଇ ଏକ ବର୍ଷ ମଧ୍ୟରେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସଫଳତା ଉପଲବ୍ଧି ମିଳିଛି ଏବଂ ଓଡିଶା ଏକ ନିରନ୍ତର ବିକାଶ ଧାରାରେ ଅଗ୍ରଗତି କରୁଛି । ସେହିପରି ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥବା ଗରିବ ସାଧାରଣ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଉପକୃତ କରାଇବାରେ ସକ୍ଷମ ହୋଇଛୁ ଯାଦ୍ୱାରା ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଛୁ । ତଥାପି ଏଇ ବିକାଶ ଧାରାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ । କାରଣ ଯେପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକମାନଙ୍କର ତଥା ଅଂଚଳର ସାମଗ୍ରିକ ବିକାଶ ନହୋଇଛି ଏବଂ ସମାଜରେ ଶେଷ ଧାଡିର ଲୋକଙ୍କ ପାଖରେ ଯୋଜନା ନପହଂଚିଛି ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶ ହୋଇଛି ବୋଲି କହିହେବନାହିଁ । ସମାଜରେ ଗରିବ, ଅନ୍ନଦାତା, ମହିଳା ଓ ଯୁବ ଶକ୍ତି ଏହି ୪ ଟି ବର୍ଗର ବିକାଶ ନହେଲେ ବିକଶିତ ଓଡିଶା ସମ୍ଭବ ନୁହେଁ ତେଣୁ ଜସ୍ୱଶୀ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର “ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ” କୁ ପାଥେୟ କରି ବିକାଶର ଧାରାକୁ ତ୍ୱରାନ୍ୱିତ କରି ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଯେଉଁ ପରିକଳ୍ପନା କରାଯାଇଛି ତାହାକୁ ସାକାର କରିବା ପାଇଁ ସମସ୍ତଙ୍କ ସହଭାଗୀତାରେ ଉଦ୍ୟମ ଜାରି ରଖିବା । ଆଜି ଯେଉଁ ବିକାଶ ମେଳାର ଆୟୋଜନ କରାଯାଇଛି ସେଥିରେ ଲୋକମାନେ ଆସନ୍ତୁ ଏବଂ ରାଜ୍ୟର କଣ କଣ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି ସେସବୁ ବିଷୟରେ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ ସମସ୍ତେ ଯୋଜନାରେ ସାମିଲ ହୋଇ ଏହା ଦ୍ୱାରା ଉପକୃତ ହୁଅନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ମାନ୍ୟବର ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଗମନାଗମନ, ସୁଭଦ୍ରା, ନିଯୁକ୍ତି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଯୋଜନା ମାଧ୍ୟମରେ କିଭଳି ବିକାଶର ପରିବର୍ତ୍ତନ ଆସିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିବା ସହ “ବର୍ଷ ଏକ -ଉପଲବ୍ଧି ଅନେକ ” କଥା ଦେଇ କଥା ରଖିଲେ ଲୋକଙ୍କ ସରକାର ” ର ଯଥାର୍ଥତା ପ୍ରତିପାଦନ କରିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନାରେ ସହାୟତା ପାଇ ଉପକୃତ ହୋଇଥିବା କିଛି ହିତାଧିକାରୀ ସେମାନଙ୍କର ସଫଳତାର ଅନୁଭୂତି କାହାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଥିଲେ । ଏତଦ ବ୍ୟତୀତ ଜିଲ୍ଲା ମତ୍ସ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ପି ଡି ୱାଟର ଶେଡ଼ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଓ ବାର୍ଷିକ ଉପଲବ୍ଧି ସମ୍ଭନ୍ଧ ରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରାଣୀ ମୁର୍ମୁଙ୍କୁ ମତ୍ସ୍ୟ ଚାଷ ପାଇଁ ୭ଲକ୍ଷ ଟଙ୍କା ସବସିଡି, ପ୍ରତିମା ପୃଷ୍ଟିକୁ ୭୦ ହଜାର ଟଙ୍କା ସବସିଡି, ସାମାଜିକ ସୁରକ୍ଷା ଅଧୀନରେ ନଳିନୀ ଚନ୍ଦ୍ର ଧୀର ଓ ପଦ୍ମିନୀ ଧଳକୁ ୨ଲକ୍ଷ ୫୦ ହଜାର ବିବାହ ପ୍ରୋତ୍ସାହନ ରାଶି, ଅଭିଜିତ ମିଶ୍ରକୁ ୫୦ ହଜାର ଟଙ୍କା ଛାତ୍ର ବୃତ୍ତି, ମିଶନ ଶକ୍ତି ତରଫରୁ ଖାଦ୍ୟ ଉତ୍ସବ ପ୍ରତଯୋଗୀତାରେ ଖାଦ୍ୟ ପ୍ରସ୍ତୁତକରି ଉତ୍ତମ ପ୍ରଦର୍ଶନ କରିଥିବା ମାଆ ଧନ କ୍ଷେତ୍ର ପାଳ ଏସ ଏଚ ଜିକୁ ୧୦ ହଜାର, ମାଆ ଭୈରବୀ ଏସ ଏଚ ଜିକୁ ୮ହଜାର, ମାଆ ଗୋଜବାୟାଣୀ ଏସ ଏଚ ଜିକୁ ୬ହଜାର ଟଙ୍କା ପୁରସ୍କାର ରାଶି ଏବଂ ସ୍ୱପ୍ନର ଓଡିଶା ଏବଂ ବିକଶିତ ଭାରତ ପ୍ରତିଯୋଗିତାର ଗ୍ରୁପ ଏ ର କୃତୀ ଛାତ୍ରି ବିଦ୍ୟୁତ ସ୍ମିତା ସାହୁ ଙ୍କୁ ୫ହଜାର, ରୀତିକା ପ୍ରିୟ ଦର୍ଶିନୀଙ୍କୁ ୩ ହଜାର ଗ୍ରୁପ ବି ର କୃତି ଛାତ୍ରୀ ଶୁଭଶ୍ରୀ ଦୀକ୍ଷିତଙ୍କୁ ୫ ହଜାର ଓ ସ୍ୱୟଂସିଦ୍ଧ ପରିଡାଙ୍କୁ ୩ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଶାମାଖୁଣ୍ଟାର ମୁଣ୍ଡା ଆଦିବାସୀ ଯୁବକ ସଙ୍ଘ ଦ୍ୱାରା ପାରମ୍ପରିକ ଆଦିବାସୀ କରମ ନୃତ୍ୟ, କପ୍ତିପଦାର ମାରଙ୍ଗବୁରୁ ପାର୍ଷି ଡହର ଧର୍ମ ପାର୍ଟି ଦ୍ୱାରା କଳସ ନୃତ୍ୟ, ଶାମାଖୁଣ୍ଟାର ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ଅନୁଷ୍ଠାନ ଦ୍ୱାରା ଝୁମର ନୃତ୍ୟ ପରିବେଷଣ କରାଯିବା ସହ ଶ୍ରୀ ସଂଜୀବ ଦଳେଇ ସୁମଧୁର ସଂଗୀତ ପରିବେଶଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାରସକଣା ବିଧାୟକ ଭାଦବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟଁକ୍ରମରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ବିଭିନ୍ନ ଯୋଜନାର ହିତାଧିକାରୀ, ଉଦ୍ୟୋଗୀ ଓ ଗଣମାଧ୍ୟମ ର ପ୍ରତିନିଧି ମନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା ପରିଚାଳନା କରିଥିଲେ ।