ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ- ସିଂହାଣୀମୁଣ୍ଡା ରାସ୍ତାର ଶନି ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ସରଗାଡ ଗ୍ରାମର ତିରାଲି ନାଗ (୫୨) । ସେ ନିକଟସ୍ଥ ଏକ କ୍ରସରରେ ଶ୍ରମିକ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ । ଆଜି ସକାଳେ ସେ କ୍ରସରରୁ ଘରକୁ ଫେରୁଥିବା ବେଳେ ଶନି ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଏକ ଟ୍ରାଭେଲର ଗାଡ଼ି ତିରାଲିଙ୍କୁ ଧକ୍କାଦେଇ ଫେରାର ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ମୃତକ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ସରଗାଡ- ସିଂହାଣୀମୁଣ୍ଡା ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ । ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଏବଂ ବଲାଙ୍ଗିର ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଚିହ୍ନଟ କରି ଉପଯୁକ୍ତ ସହାୟତା ପ୍ରଦାନ କରିବା ସକାଶେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ସରଗାଡ ସରପଞ୍ଚ ସରୋଜ ବେହେରା ଏବଂ ସମିତି ସଭ୍ୟ ବିରେନ୍ଦ୍ର ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.