ଅଜଣା ରୋଗରେ ଶଯ୍ୟାଶାୟୀ ଗଙ୍ଗାବାଳି : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆପଡା, (ନିରାକାର ମେହେର) : ମୁଁ ବଂଚିବାକୁ ଚାହେଁ ବୋଲି ହାତ ଜୋଡି କରୁଣ ନିବେଦନ କରୁଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡାର ଗଙ୍ଗାବାଳି ମାଝି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସ୍ତ୍ରୀକୁ ସୁସ୍ଥ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରୁଛନ୍ତି ସ୍ଵାମୀ । ଆଖିରେ ଆଖିଏ ଲୁହ, କାନ୍ଦିବାକୁ ଶକ୍ତି ପାଉନି । ତଥାବି କୋହ ଭରା କଣ୍ଠରେ କହୁଛନ୍ତି ମତେ ଭଲ କରିଦିଅ । ଏହି ଯନ୍ତ୍ରଣା ସହି ପାରୁନି । ବିଛଣାରେ ପଡି ସରକାରଙ୍କୁ ଗୁହାରୀ କରୁଛନ୍ତି ଗଙ୍ଗାବାଳି । ୩୫ ବର୍ଷୀୟ ଗଙ୍ଗାବାଳି ଅଜଣା ରୋଗରେ ପିଡି ଚିକିତ୍ସା ଅଭାବରୁ ମାସମାସ ଧରି ଶଯ୍ୟାଶାୟୀ । କ’ଣ ହୋଇଛି କେହି ସଠିକରେ କହିପାରୁ ନଥିବା ବେଳେ ଗଙ୍ଗାବାଳିକୁ ଭଲ କରିବା ପାଇଁ ସର୍ବସାନ୍ତ ହୋଇଗଲେଣି ସ୍ଵାମୀ କୃଷ୍ଣ ମାଝି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ୭୦ ବର୍ଷ ବୟସର ବାପା ରାଇସିଂ ମାଝି ସାଜିଛନ୍ତି ସାହାଭରସା । ସୂଚନା ଅନୁସାରେ ଗଙ୍ଗାବାଳିକୁ ୧୦ ବର୍ଷ ତଳେ ବାପା ରାଇସିଂ ଖଡିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଉପରପିଟା ଗ୍ରାମର କୃଷ୍ଣଙ୍କୁ ବିବାହ ଦେଇଥିଲେ । ତାଙ୍କ ଗୋଟିଏ ୯ବର୍ଷର ଝିଅ ଆରତୀ ମାଝି ଓ ୪ ବର୍ଷର ଗୋଟିଏ ପୁଅ ସଚିନ କୁମାର ଅଛନ୍ତି । ଜମିବାଡି କହିଲେ ଝାଟିମାଟି ଚାଳ ଛାପର ଘର । ସ୍ଵାମୀ କୃଷ୍ଣ କୁଲିମଜୁରୀ କାମକରି ଘରର ଭରଣପୋଷଣ କରୁଥିଲେ । ହେଲେ ଗଙ୍ଗାବାଳି ରୋଗରେ ଆକ୍ରାନ୍ତ ହେଲା ଦିନଠାରୁ ସ୍ୱାମୀ କୁଆଡେ କାମଧନ୍ଦା କରିବା ପାଇଁ ଯାଇ ନପାରୁଥିବାରୁ ପରିବାର ଚଲିବା କଷ୍ଟକର ହୋଇ ପଡିଛି । ଏମିତି ଦୁଃଖଦ ସମୟରେ ବାପା ସାଜିଛନ୍ତି ସାହାଭରସା ବୋଲି ପିଡିତା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଆଜିକୁ ୬ମାସରୁ ଅଧିକ ହେବ ଗଙ୍ଗାବଳୀ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାରେ ପଡିରହିଛନ୍ତି । ପରିବାର ଲୋକ ଗଙ୍ଗାବଳୀଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ବୁର୍ଲା ହସପିଟାଲ ପର୍ଯ୍ୟନ୍ତ ଧାର କରଜ କରି ଚିକିତ୍ସା କରାଉଥିଲେ ମଧ୍ୟ କୌଣସି ସୁଫଳ ମିଲିନାହିଁ । ୨୪ ଘଣ୍ଟା ବିଛଣା ପଡି କଷ୍ଟ ପାଉଥିବା ଗଙ୍ଗାବଳୀଙ୍କ ସେବା ଶୁଶ୍ରୁଶା ସ୍ୱାମୀ କୃଷ୍ଣ କରୁଛନ୍ତି । ସ୍ତ୍ରୀର ଦେଖାଶୁଣା କରୁଥିବା କାରଣରୁ କୌଣସି କାମଧନ୍ଦା କରିପାରୁନାହିଁ । ସେଥିପ୍ରତି ପରିବାର ପ୍ରତିପୋଷଣ ବହୁକଷ୍ଟରେ ଚଳୁଥିବା ସ୍ୱାମୀ କହିଛନ୍ତି ।ପୀଡିତାଙ୍କ ଅଣ୍ଟା ଉଠୁନଥିବା ବେଳେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରୁଛନ୍ତି । ନିଜ ରୋଗ କଷ୍ଟକୁ ନେଇ ସରକାର ତଥା ପ୍ରସାଶନ ପାଖରେ ଚିକିତ୍ସା ପାଇଁ ଲୁହଭରା ଆଖିରେ କାନ୍ଦିକାନ୍ଦି ସାହାଯ୍ୟ ପାଇଁ ହାତ ପାତିଛନ୍ତି । ସରକାର ଏମିତି ସମୟରେ ସାହାଯ୍ୟ ନକଲେ ମୁଁ ଆଉ କିଛିଦିନ ପରେ ମରିଯିବି ବୋଲି ଦୁଃଖ ଭରା କଣ୍ଠରେ କହୁଛନ୍ତି । ଚିକିତ୍ସା ପାଇଁ ସବୁ ଆଡ଼ୁ ବିଫଳ ହେବା ପରେ ସେ ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ କାଳ କାଟୁଛନ୍ତି । ଦୁଃଖ କଥା ଜଣାଇ ଲୋକଙ୍କୁ ସାହାଯ୍ୟ ମାଗିବାକୁ ସ୍ଥିର କରିଛନ୍ତି ସେ । ତେବେ କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟର ହାତ ବଢାନ୍ତି ତାହେଲେ ନିରୀହ ପରିବାର ବଞ୍ଚିଯାଆନ୍ତା ବୋଲି କହିଛନ୍ତି । କେହି ସହୃଦୟ ବ୍ୟକ୍‌କ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହାଲେ ୯୮୨୭୦୮୨୩୭୦ ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.