ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ଜାତୀୟ ୭୯ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସର୍ବ ଭାରତୀୟ ସ୍ତରରେ ଏପ୍ରିଲ ୧୪ ତାରିଖଠାରୁ ଏକ ସପ୍ତାହ ବ୍ୟାପି ଦେଶରେ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଇଥଏ । ବାହାରେ ଅତ୍ୟଧିକ ତାପମାତ୍ରା ଥିବାରୁ କୌଣସି କାର୍ଯ୍ୟକ୍ରମ ନ ରଖି ଏହାକୁ ନିରାଡମ୍ବର ଭାବରେ ଆରମ୍ଭ କରାଯାଇଛି । ସକାଳ ୮ଟା ସମୟରେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଦମକଳ ଗାଡ଼ିରେ ଏକ ଶୋଭାଯାତ୍ରା କରି ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କ ଅବଗତି ପାଇଁ ଏକ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ବେଳେ ବେଳେ ଲୋକଙ୍କ ଅଜାଣତରେ ବା ଜାଣିଜାଣି କିଛି ଏମିତି ଭୁଲ ହୋଇଥାଏ ଯାହାକି ଫଳରେ ଅଗ୍ନିକାଣ୍ଡର ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇ ଉଠେ । ଯାହା ଧନ ଜୀବନ ନଷ୍ଟ ହେବାର କାରଣ ହୋଇଥାଏ । ତେବେ ଏହିପରି କୌଣସି ଭୁଲ ନ କରିବାକୁ ବା ପ୍ରଶ୍ରୟ ନଦେବା ପାଇଁ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ଉକ୍ତ ଶୋଭାଯାତ୍ରା ଅଗ୍ନିଶମ କାର୍ଯ୍ୟାଳୟଠାରୁ ବାହାରି ଖପ୍ରାଖୋଲ ଏବଂ ଆଖପାଖ ଅଞ୍ଚଳକୁ ପରିକ୍ରମା କରାଯାଇଛି । ନିଆଁକୁ ସର୍ବଦା ଆୟତ୍ତରେ ରଖି ବ୍ୟବହାର କରିବା, ସହଯୋଗ ଓ ଉଚିତ୍ ପଦକ୍ଷେପ ଦ୍ୱାରା କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇପାରିବେ ବୋଲି ଖପ୍ରାଖୋଲ ଅଗ୍ନିଶମ ବିଭାଗ ମୁଖ୍ୟ ଓଆଇସି ଚୂଡ଼ାମଣି ପିଙ୍ଗ ପ୍ରକାଶ କରିଛନ୍ତି । ଏହି ଅବସରରେ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଏଲ୍ଏଫ୍ଏମ୍ ଜୟ ଗୋପାଲ ପଣ୍ଡା, ଏଫ୍ଏମ୍ଡି ବୈଷ୍ଣବ ନିଆଲ, ଆର୍ତ୍ତ ଷଣ୍ଢ, ଦୁର୍ଜନ ପ୍ରସାଦ ହରିଜନ, ମୋହିତ ମୋହନ ଶବର, ରୁଦ୍ର ଚୌହାନ, ବିକାଶ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।