jayashree

ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି । ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିବାର ତଥ୍ୟ ରହିଥିବା ବେଳେ ସେଥି ମଧ୍ୟରୁ ୧୪୩୯୩ଟି ସ୍ଥାନରେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି । ଓଡ଼ିଶା ଫରେଷ୍ଟ ମନିଟରିଂ ସିଷ୍ଟମ ସହ ପ୍ରାୟ ୮ ହଜାର ମୋବାଇଲ ଫୋନ ପଞ୍ଜିକରଣ କରାଯାଇଛି । ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି । ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବ । ଏଥି ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାଲା, ଦାସକାଠିଆ, ଘୋଡାନାଚ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ବନାଗ୍ନି ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଏବଂ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ କର୍ମୀ ମାନଙ୍କୁ ସାମିଲ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.