ନବୀନ ପଟ୍ଟନାୟକ ଅଦ୍ଵିତୀୟ – ଦିବ୍ୟ ଶଙ୍କର ମିଶ୍ର

ଭବାନୀପାଟଣା, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଡ଼ ଟାଉନ ହୋଟେଲ ଠାରେ ପୂର୍ବତନ ସାଂସଦ ତଥା ବଲାଙ୍ଗିର ବିଧାୟକ କଳିକେଶ ସିଂହ ଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦ୍ଵିତୀୟ ନେତା । ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଏବେ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯ୍ୟାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି । ଏଣୁ ଆଗାମୀ ୨୦୨୯ ମସିହାରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ । ବଲାଙ୍ଗିରର ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହ ଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍ ଦେବା ସମୟରେ ଉଲ୍ଲେଖ କରିଥିଲି, ଯେ କଳିକେଶ ଜଣେ ଜାତୀୟ ସ୍ତରର ରାଇଫଳ ଖେଳାଳୀ ଏବଂ ଜାତୀୟ ରାଇଫଳ ଏସୋସିଏସନର ସଭାପତି ମଧ୍ୟ ଅଛନ୍ତି । ସେ ଜଣେ ଭଲ ପୂର୍ବତନ ସାଂସଦ, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି । ସେ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ ମଧ୍ୟ । ତେଣୁ ଆଗାମୀ ଯୁବ ପିଢ଼ି ତାଙ୍କୁ ଜଣେ ରୋଲ ମୋଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି । ରାଜ୍ୟ ସ୍ତରରେ ଯୁବକମାନଙ୍କ ନେତୃତ୍ୱ ନେବାପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି । ବଲାଙ୍ଗିରରେ ଦେଇଥିବା ମୋ ବାଇଟ୍ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍ ପ୍ୟାଷ୍ଟ କରି ଉପସ୍ଥାପନା କରୁଛନ୍ତି । ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ ଓଡିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଅଦ୍ଵିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ସାଂସଦ, ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ । ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଓଡିଶା ବାସୀଙ୍କ ସେବା ଆଗକୁ ବି ଜାରି ରଖିଥିବ । ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରୁ ଧାନ ଉଠିପାରୁ ନାହିଁ । ମହିଳା ଓ ଯୁବକଙ୍କୁ ଆଜି ରାଜ୍ୟରେ ନିଯୁକ୍ତିର ସୁଯୋଗ ମିଳୁନାହିଁ । ଏହାବ୍ୟତୀତ ଅନେକ କ୍ଷେତ୍ରରେ ଏ ସରକାର ବିଫଳ ହୋଇଛି । ତେଣୁ ତୃଣମୂଳ ସ୍ତରରେ ଜନ ଆକ୍ରୋଶ ଦିନକୁଦିନ ବଢିବାରେ ଲାଗିଛି । ଲୋକ ମନସ୍ଥ କଲେଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବା ସହ ୨୦୨୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ସରକାରକୁ ଜବାବ ଦେବେ । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

Leave A Reply

Your email address will not be published.