ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର : ଭାରତର ଅପଷ୍ଟ୍ରିମ୍ ତୈଳ ଓ ବାଷ୍ପ ଢାଞ୍ଚାକୁ ଆଧୁନିକୀକରଣ କରିବ ପିଏନଜି ନିୟମର ଚିଠା ପ୍ରସ୍ତାବ
● ନିବେଶକଙ୍କ ସ୍ଥିରତା, ବ୍ୟବସାୟିକ ସୁଗମତା ଏବଂ ଅଙ୍ଗାରକାମ୍ଳ ହ୍ରାସ ଉପରେ ନିୟମଗୁଡ଼ିକରେ ଧ୍ୟାନ ଦିଆଯାଇଛି
● ୧୭ ଜୁଲାଇ ୨୦୨୫ ସୁଦ୍ଧା ଅଂଶୀଦାରଙ୍କ ଠାରୁ ମତାମତ ଓ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ (ପିଏନ୍ଜି) ନିୟମାବଳୀର ଚିଠା ପ୍ରସ୍ତାବ, ମଡେଲ ରାଜସ୍ୱ ବିତରଣ ଚୁକ୍ତି (ଏମ୍ଆର୍ଏସ୍ସି) ଏବଂ ପେଟ୍ରୋଲିୟମ ଲିଜ୍ ଉପରେ ଅଂଶୀଦାରଙ୍କ ଠାରୁ ମତାମତ ଓ ପରାମର୍ଶ ଆହ୍ୱାନ କରିଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୈଳ ଏବଂ ବାଷ୍ପ ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ଉପରେ ଆମେ ପ୍ରୟାସ କରୁଛୁ । ଆମେ ଅନ୍ୱେଷଣ ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ସଂସ୍କାର ଆଣୁଛୁ । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ନିୟମାବଳି ୨୦୨୫ର ଚିଠା ପ୍ରସ୍ତାବ ସହିତ ଏହି ସଂସ୍କାର ଆମର ଅନ୍ୱେଷଣ ଏବଂ ଉତ୍ପାଦନ ପରିଚାଳକଙ୍କ ଲାଗି ବ୍ୟବସାୟିକ ସୁଗମତାକୁ ଉଲ୍ଲେଖନୀୟ ଭାବେ ଭାବେ ବୃଦ୍ଧି କରିବ । ଶ୍ରୀ ପୁରୀ ଉଦ୍ୟୋଗ ଜଗତର ନେତୃବର୍ଗ, ବିଶେଷଜ୍ଞ, ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ଅଂଶୀଦାରମାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ନିୟମର ଚିଠା ପ୍ରସ୍ତାବ, ଏମ୍ଆର୍ଏସ୍ସି ଓ ସଂଶୋଧିତ ପେଟ୍ରୋଲିମ ଲିଜ୍ ଉପରେ ୧୭ ଜୁଲାଇ ୨୦୨୫ ସୁଦ୍ଧା ମତାମତ ଓ ପରାମର୍ଶ ଦେବା ଲାଗି ଆହ୍ୱାନ ଦେଇଛନ୍ତି । ଅଂଶୀଦାରମାନେ [email protected]ରେ ନିଜର ମତାମତ ପଠାଇପାରିବେ । ଏହି ବିଚାରବିମର୍ଶ ପ୍ରକ୍ରିୟା ୧୭ ଜୁଲାଇ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ଊର୍ଜା ବାର୍ତ୍ତା ୨୦୨୫ରେ ସମାପ୍ତ ହେବ । ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ନିୟମ, ୨୦୨୫ ଚିଠା ପ୍ରସ୍ତାବରେ ଅନେକ ପ୍ରମୁଖ ସଂସ୍କାର ସହିତ ଦେଶର ଅପଷ୍ଟ୍ରିମ୍ ତୈଳ ଏବଂ ବାଷ୍ପ ଭିତ୍ତିଭୂମିକୁ ଆଧୁନିକୀକରଣ କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରମୁଖ ସଂସ୍କାର ମଧ୍ୟରୁ ଗୋଟିଏ ହେଉଛି ଏକ ନିବେଶକ-ଅନୁକୂଳ ସ୍ଥିରୀକରଣ ଧାରାକୁ ସାମିଲ କରିବା । ଏହାକୁ ଭବିଷ୍ୟତର ଆଇନଗତ କିମ୍ବା ଆର୍ଥିକ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରୁ ଲିଜଧାରୀଙ୍କୁ ସୁରକ୍ଷା ଦେବା ପାଇଁ ଡିଜାଇନ୍ କରାଯାଇଛି । ଫଳରେ ଟିକସ, ରୟାଲ୍ଟି କିମ୍ବା ଅନ୍ୟାନ୍ୟ ଶୁଳ୍କରେ ବୃଦ୍ଧି କ୍ଷେତ୍ରରେ ସେମାନଙ୍କୁ କ୍ଷତିପୂରଣ କିମ୍ବା ହ୍ରାସ ପାଇଁ ଅନୁମତି ଦିଆଯିବ । ଭିତ୍ତିଭୂମିର ଦୋହରୀକରଣକୁ ହ୍ରାସ କରିବା ଏବଂ ଛୋଟ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଚିଠା ପ୍ରସ୍ତାବରେ ଲିଜଧାରୀମାନଙ୍କୁ ପାଇପଲାଇନ୍ ଓ ଅନ୍ୟାନ୍ୟ ସୁବିଧାରେ କମ୍ ବ୍ୟବହାର ହୋଇଥିବା କ୍ଷମତା ଘୋଷଣା କରିବାକୁ କୁହାଯାଇଛି । ଏହାଛଡ଼ା ସରକାରୀ ତଦାରଖ ଅଧୀନରେ ଯୁକ୍ତିଯୁକ୍ତ ସର୍ତ୍ତରେ ତୃତୀୟ ପକ୍ଷଙ୍କୁ ପ୍ରବେଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠା ନିୟମରେ ପ୍ରଥମ ଥର ପରିଚାଳକମାନଙ୍କୁ ତୈଳ କ୍ଷେତ୍ର ବ୍ଲକ୍ ମଧ୍ୟରେ ଏକୀକୃତ ଅକ୍ଷୟ ଓ କମ ଅଙ୍ଗାରକାମ୍ଳଯୁକ୍ତ ପ୍ରକଳ୍ପ ଯଥା ସୌର, ପବନ, ହାଇଡ୍ରୋଜେନ୍ ଏବଂ ଭୂ-ତାପ ଊର୍ଜା ଆଦି ବ୍ୟବହାର କରିବା ଲାଗି ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସର୍ତ୍ତ ହେଉଛି ସେମାନେ ସମସ୍ତ ସୁରକ୍ଷା ମାନଦଣ୍ଡକୁ ପୂରଣ କରୁଥିବେ ତଥା ପେଟ୍ରୋଲିୟମ ଉତ୍ପାଦନରେ ବାଧା ସୃଷ୍ଟି କରୁନଥିବେ । ପରିବେଶ ପରିଚାଳନାକୁ ସୁଦୃଢ଼ କରିବା ପାଇଁ, ଚିଠା ପିଏନ୍ଜି ନିୟମାବଳୀ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ନିରୀକ୍ଷଣ ଓ ରିପୋର୍ଟ କରିବା ପାଇଁ ବିସ୍ତୃତ ଆବଶ୍ୟକତା ପ୍ରଚଳନ କରାଯାଇଛି । ସେହିପରି କାର୍ବନ କ୍ୟାପଚର ଏବଂ ଷ୍ଟୋରେଜ୍ (ସିସିଏସ୍) ପାଇଁ ଏକ ନିୟାମକ ଢାଞ୍ଚା ସ୍ଥାପନ କରାଯାଇଛି । ବନ୍ଦ ହେବା ପରେ ଅତି କମରେ ପାଞ୍ଚ ବର୍ଷ ପାଇଁ ନିରୀକ୍ଷଣ ସହିତ ଏକ ସ୍ଥାନ ପୁନରୁଦ୍ଧାର ପାଣ୍ଠିକୁ ମଧ୍ୟ ଏଥିରେ ବାଧ୍ୟତାମୂଳକ କରାଯାଇଛି । ତଥ୍ୟ ପରିଚାଳନା ଦୃଷ୍ଟିରୁ, ଅନ୍ୱେଷଣ ଏବଂ ଉତ୍ପାଦନ ସମୟରେ ସୃଷ୍ଟି ହୋଇଥିବା ସମସ୍ତ କାର୍ଯ୍ୟକ୍ଷମ ତଥ୍ୟ ଏବଂ ଭୌତିକ ନମୁନା ଭାରତ ସରକାରଙ୍କ ଅଧୀନରେ ରହିବ । ଲିଜଧାରୀମାନେ ଏହି ତଥ୍ୟକୁ ଆଭ୍ୟନ୍ତରୀଣ ଭାବରେ ବ୍ୟବହାର କରିପାରିବେ, କିନ୍ତୁ ଯେକୌଣସି ରପ୍ତାନି କିମ୍ବା ବାହ୍ୟ ବ୍ୟବହାର ପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ । ଏହାର ଗୋପନୀୟତା ସୁରକ୍ଷା ସାତ ବର୍ଷ ପର୍ୟ୍ୟନ୍ତ ରହିବ । ଚିଠା ନିୟମରେ ଏକ ଉତ୍ସର୍ଗୀକୃତ ବିଚାରକ କର୍ତ୍ତୃପକ୍ଷ ସୃଷ୍ଟି କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି, ଯାହା ଯୁଗ୍ମ ସଚିବଙ୍କ ପଦରୁ କମ୍ ହୋଇନଥିବ। ଏହି ପଦାଧିକାରୀଙ୍କୁ ଅନୁପାଳନକୁ କାର୍ଯ୍ୟକାରୀ କରିବା, ବିବାଦ ସମାଧାନ କରିବା ଏବଂ ଦଣ୍ଡ ଦେବା ପାଇଁ କ୍ଷମତା ମିଳିବ । ଅତିରିକ୍ତ ବ୍ୟବସ୍ଥାରେ କାର୍ଯ୍ୟକ୍ଷମ ନମନୀୟତାକୁ ଉନ୍ନତ କରିବା ପାଇଁ ଏକାଧିକ ବ୍ଲକରେ ବିସ୍ତୃତ ରିଜର୍ଭୟର୍ ଗୁଡ଼ିକର ଲିଜ୍ ମିଶ୍ରଣ, ସମ୍ପ୍ରସାରଣ ଏବଂ ଏକୀକରଣ ପାଇଁ ସ୍ପଷ୍ଟ ପ୍ରକ୍ରିୟା ସାମିଲ ରହିଛି । ଏହି ସଂସ୍କାରଗୁଡ଼ିକ ପୁରୁଣା ପେଟ୍ରୋଲିୟମ୍ ରିହାତି ନିୟମ, ୧୯୪୯ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ନିୟମ, ୧୯୫୯କୁ ବଦଳାଇଥାଏ ଏବଂ ତୈଳକ୍ଷେତ୍ର (ନିୟନ୍ତ୍ରଣ ଓ ବିକାଶ) ଆଇନ, ୧୯୪୮ର ସାମ୍ପ୍ରତିକ ସଂଶୋଧନକୁ ଅନୁସରଣ କରିଥାଏ । ବର୍ତ୍ତମାନ ସୁଦ୍ଧା ଦେଶର ସବୁଠୁ ବଡ଼ ଅନ୍ୱେଷଣ ଏବଂ ଉତ୍ପାଦନ ବିଡିଂ ପର୍ଯ୍ୟାୟ ଓଏଲ୍ଏପି ରାଉଣ୍ଡ ଏକ୍ସ ପୂର୍ବରୁ ଏଗୁଡ଼ିକୁ ଲାଗୁ କରାଯାଇଛି । ଚିଠା ନିମୟମ ସହିତ ମନ୍ତ୍ରଣାଳୟ ଏକ ସଂଶୋଧିତ ମଡେଲ ରାଜସ୍ୱ ବଣ୍ଟନ ଚୁକ୍ତିନାମା ମଧ୍ୟ ଜାରି କରାଯାଇଛି । ଏହା ବିଶେଷକରି ଏକୀକରଣ, ମିଶ୍ରିତ ଲିଜ୍ କ୍ଷେତ୍ର ଏବଂ ଭିତ୍ତିଭୂମି ବଣ୍ଟନ ଦାୟିତ୍ୱ କ୍ଷେତ୍ରରେ ନୂତନ ଢାଞ୍ଚା ସହିତ ସମାନ। ସଂଶୋଧିତ ପେଟ୍ରୋଲିୟମ୍ ଲିଜ୍ ଢାଞ୍ଚା ଲିଜ୍ ପରିତ୍ୟାଗ, ରିଜର୍ଭୟର ସମ୍ପ୍ରସାରଣ ଏବଂ ବାତିଲକରଣର କାରଣଗୁଡ଼ିକ ପାଇଁ ପ୍ରକ୍ରିୟାଗୁଡ଼ିକୁ ସ୍ପଷ୍ଟ କରେ ଏବଂ ଅଧିକ କାର୍ଯ୍ୟକ୍ଷମ ନିଶ୍ଚିତତା ପ୍ରଦାନ କରେ । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ଗୁରୁତ୍ୱାରୋପ କରି କହିଛନ୍ତି, ‘‘”ଭାରତରେ ତୈଳ ଏବଂ ଗ୍ୟାସ ଅନୁସନ୍ଧାନ କେବେବି ସହଜ, ଦ୍ରୁତ ଏବଂ ଅଧିକ ଲାଭଦାୟକ ନଥିଲା । ଏକ ଆଧୁନିକ, ନିବେଶକ-ଅନୁକୂଳ ଇକୋସିଷ୍ଟମ ଗଠନ କରିବା ପାଇଁ ଆମେ ଗଠନମୂଳକ ସହଯୋଗ ପାଇଁ ଆଶା କରୁଛୁ ।’’ ଅଂଶୀଦାରମାନଙ୍କୁ ୧୭ ଜୁଲାଇ ୨୦୨୫ ସୁଦ୍ଧା [email protected]କୁ ସେମାନଙ୍କର ମତାମତ ପଠାଇବାକୁ ଅନୁରୋଧ କରାଯାଇଛି । ଦେଶର ବ୍ୟାପକ ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ସହିତ ଏକ ସ୍ୱଚ୍ଛ, ଦକ୍ଷ ଏବଂ ସ୍ଥାୟୀ ଅନ୍ୱେଷଣ ଏବଂ ଉତ୍ପାଦନ ପରିବେଶ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରୟାସର ଲକ୍ଷ୍ୟ ରହିଛି ।