ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ୟାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୪ସ୍ଥିତ ରାଉରକେଲା ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ରାଉରକେଲାର ଓଡ଼ିଆ ଅଧ୍ୟାପକ-ଅଧ୍ୟାପିକା ସମ୍ମିଳନୀର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଅଧିବେଶନରେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡଃ ଅଶ୍ୱିନୀ କୁମାର ରାୟ ଅଧ୍ୟକ୍ଷତା କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଅଧିବେଶନରେ ଯୋଗଦେଇ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ପ୍ରେରିତ କରିଥିଲେ । ଡଃ ସଞ୍ଜୟ କୁମାର ହାତୀ ଏବଂ ସଦସ୍ୟମାନଙ୍କ ଦ୍ୱାରା ସଂଗଠନର ପ୍ରସ୍ତାବିତ ନାମ ‘ପ୍ରତ୍ୟୟ: ସମ୍ଭାବନାର ନୂତନ ଇସ୍ତାହାର’କୁ ଅଧିବେଶନରେ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଏହାପରେ ସେପ୍ଟେମ୍ବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟର ବିଭାଗୀୟ କର୍ମଶାଳା, ଆଲୋଚନାଚକ୍ର, ପାଠଚକ୍ର ସଂପାନ ଏବଂ ବିନିମୟ ଶିକ୍ଷାଦାନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ସହ ତା’ର କାର୍ଯ୍ୟକାରିତା ସମ୍ବନ୍ଧରେ ବିଧିବଦ୍ଧ ଚର୍ଚ୍ଚା ହୋଇଥିଲା । ଏସବୁ କାର୍ଯ୍ୟ ସଂପାଦନରେ ଅଧ୍ୟକ୍ଷମାନଙ୍କର ଭୂମିକା ତଥା ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍)ର ଆବଶ୍ୟକତା ଦୃଷ୍ଟିରୁ ଏସବୁ କାର୍ଯ୍ୟକ୍ରମର ଉପଯୋଗିତା ସମ୍ପର୍କରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ମତବ୍ୟକ୍ତ କରି ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଉତ୍ସାହିତ କରିଥିଲେ । ଅଧିବେଶନର ସଭା ପରିଚାଳନା ରାଉରକେଲା କଲେଜର ବରିଷ୍ଠ ଅଧ୍ୟାପକ ବନବିହାରୀ କିଷାନ କରିଥିଲା ବେଳେ କଲ୍ୟାଣୀ ରାୟ କଲେଜର ଅଧ୍ୟାପିକା ସ୍ବପ୍ନାମୟୀ ହୋତା ଅଧ୍ୟାପକ- ଅଧ୍ୟାପିକାମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନୀଳଶୈଳ ମହାବିଦ୍ୟାଳୟର ଅଧ୍ୟାପକ ଡଃ ସୁଶାନ୍ତ କୁମାର କିଷାନ । ରାଉରକେଲାସ୍ଥ ସମସ୍ତ କଲେଜର ଅଧ୍ୟାପକ-ଅଧ୍ୟାପିକା ସମେତ ରାଉରକେଲା କଲେଜର ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ ଅନିତା ଜଗଦ୍ଦେବ, ତପସ୍ଵନୀ କୁମ୍ଭାର, ଭାରତୀ ବେହେରା, ସୋନାଲି ମହାନନ୍ଦ, ସୁଶ୍ରୀରେଖା ବେହେରା, ଲିପ୍ସା ବଳିଆରସିଂହ, ସଂଧ୍ୟାରାଣୀ ବେହେରା ପ୍ରମୁଖ ଅଧିବେଶନରେ ସହଯୋଗ ନିମନ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.