ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା–ଚଚରାଭଟା ପାଖ ସହାଜଜୋର ନାଳରେ ହୋଇଥିବା ପୋଲ ଅର୍ଧ ନିର୍ମିତ ହୋଇ ପଡିରହିଛି । ପୋଲର ସୁରକ୍ଷା ବାଡ଼ ନ ଥିବାରୁ ଏ ଠାରେ ବହୁବାର ଦୁର୍ଘଟଣା ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ଲିଟିଗୁଡା ପଞ୍ଚାୟତ ଲୋକେ ଚଚରାଭଟ। ଚଲନା ରାସ୍ତା ଦେଇ ବ୍ଲକ ସଦର ମହକୁମାକୁ ଯିବାଆସିବା କରିଥାନ୍ତି । ଉକ୍ତ ରାସ୍ତାରେ ଚଚରାଭଟା ପାଖ ସାହାଜ ଜୋର ନାଳା ଗତ ୨୦୦୭–୦୮ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନୂଆପଡା ତରଫରୁ ବିଜୁ କେବିକେ ଯୋଜନାରେ ୩୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୋଲ ନିର୍ମାଣ ହେଲା ସତ ହେଲେ ପୋଲ ଉପରେ ସୁରକ୍ଷା ବାଡ଼ ବର୍ତ୍ତମାନ ସୁଦ୍ଧା କରାଯାଇ ପାରି ନାହିଁ, ଅଧାପନ୍ତରିଆ ହୋଇ ପଡିରହିଛି ବୋଲି ଅଭିଯୋଗ ହେଉଛି । ଅନେକ ଥର ଏହି ପୋଲ ଉପରୁ ଗାଈ ଗୋରୁ ତଳକୁ ଖସି ପଡୁଥିବା ସହ ରାସ୍ତାରେ ଯାତାୟତ କରୁଥିବା ଲୋକେ ମଧ୍ୟ ଖସିପଡି ଗୁରୁତର ଆହତ ହେଉଥିବା ଅଭିଯୋଗ ହେଉଛି । ଭବିଷ୍ୟତରେ କୌଣସି ବଡ଼ ଧରଣର ଦୁର୍ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ଉକ୍ତ ଅଧାପନ୍ତରିଆ ପୋଲକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହିଁ, ଯାହା ଫଳରେ ଗତ ଦଶ ବର୍ଷ ହେଲା ଏହି ବିପଦ ସଂକୁଳ ଅଧାପନ୍ତରିଆ ପୋଲ ଉପରେ ଲୋକେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ଛାତ୍ରଛାତ୍ରୀ ସିନାପାଲି ତଥା ହାତିବନ୍ଧା କଲେଜ ଓ ଶିଶୁ ମନ୍ଦିରକୁ ଯାତାୟତ କରିଥାନ୍ତି । ହାତିବନ୍ଧା ଏହି ଅଞ୍ଚଳର ଏକ ବାଣିଜ୍ୟିକ କେନ୍ଦ୍ର ହେତୁ ଏହି ରାସ୍ତା ଦେଇ ଦୈନିକ ଶତାଧିକ ଲୋକ ଯିବା ଆସିବା କରନ୍ତି । ରାସ୍ତାର ଅନେକ ସ୍ଥାନରେ ଖାଲଖମା ହୋଇଥିବା ବେଳେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ଷ ବର୍ଷ ବିତିଯାଉ ଥିଲେ ବି ଏହି ରାସ୍ତାରେ ପଞ୍ଚାୟତ ତଥା ଜିଲ୍ଲା ସ୍ତରର କୌଣସି ଜନପ୍ରତିନିଧିଙ୍କ ନଜର ପଡୁନାହିଁ । ଯାହା ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ବ୍ଲକ ସଦର ମହକୁମାକୁ ଯିବାକୁ ହେଲେ ହାତିବନ୍ଧା କିମ୍ବା ଭରୁଆମୁଣ୍ଡା ଦେଇ ବୁଲାଣିଆ ରାସ୍ତାରେ ଯିବାକୁ ପଡୁଛି । ଏନେଇ ଲିଟିଗୁଡା ସରପଞ୍ଚ ତଥା ସମିତି ସଭ୍ୟଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଭିଯୋଗ ହେଉଛି । ସିନାପାଲି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବୀ ହେଉଛି ।

Leave A Reply

Your email address will not be published.