ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଦିନ ସଂଧ୍ୟା ୬ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ, ଓଡିଆ ଭାଷା ଓ ଓଡ଼ିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତାମାନ କରାଯିବ । ଏଥିପାଇଁ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ ଭାବେ ବିଭକ୍ତ କରାଯାଇଛି । ଛାତ୍ର ଛାତ୍ରୀ ମାନେ ଦୁଇଟି ଭାଗରେ ବିଭକ୍ତ ହୋଇ ଆସନ୍ତା ୧୮ ତାରିଖ ରବିବାର ଦିନ ଭଂଜଭବନ ପରିସରରେ ହେବାକୁ ଥିବା ଦିନ ୯ ଟାରୁ ୯ଟା ୪୫ ପର୍ଯ୍ୟନ୍ତ ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବିଭାଗ ପାଇଁ ‘ସମାଜସେବୀ ଗୋପବନ୍ଧୁ’ ଓ ବରିଷ୍ଠ ବିଭାଗ ପାଇଁ ‘ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୋପବନ୍ଧୁଙ୍କ ଅବଦାନ’ ସଂପର୍କରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଶୁଦ୍ଧ ଓଡିଆ ଲିଖନ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବିଭାଗ ପାଇଁ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସମୟ ରଖାଯାଇଛି । ସେହିପରି ସାଧାରଣଜ୍ଞାନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବିଭାଗ ପାଇଁ ଓଡିଶା ସମ୍ବନ୍ଧୀୟ ବିଷୟ ଦିନ ୧୧ ଟାରୁ ୧୧ଟା୩୦ ମଧ୍ୟରେ କରାଯିବ । ବକୃତା ପ୍ରତିଯୋଗିତା ସଂଧ୍ୟା ୫ଟା ୩୦ରୁ ଆରମ୍ଭ ହୋଇ ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ଚାଲିବ । ବକୃତାରେ କନିଷ୍ଠ ବର୍ଗଙ୍କ ପାଇଁ ‘ତ୍ୟାଗର ପ୍ରତୀକ ଗୋପବନ୍ଧୁ’ ଓ ବରିଷ୍ଠ ବର୍ଗ ପାଇଁ ‘ଗୋପବନ୍ଧୁଙ୍କ କାବ୍ୟ କବିତାରେ ଜାତୀୟ ଚେତନା’ ଶୀର୍ଷକ ରଖାଯାଇଛି । ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଭାଗ ନେବାକୁ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି ।