
ଭୁବନେଶ୍ୱର, (କେପିଏନ୍ଏସ୍) : କମିସନରେଟ ପୁଲିସ ପକ୍ଷରୁ ସବ୍ଇନ୍ସପେକ୍ଟର (ଏସ୍ଆଇ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ୍ ୮୮ ଜଣଙ୍କୁ ବଦଳି କରାଯାଇଛି । ଯେଉଁଥିରେ ୬୨ଜଣ ନବନିଯୁକ୍ତ ଏସ୍ଆଇ ଅଛନ୍ତି । କଟକ ଡିସିପି ମୁଖ୍ୟାଳୟରେ ଥିବା ଆଇଆଇସି ସସ୍ମିତା ଖିଲାରଙ୍କୁ ଚୌଦ୍ୱାର ଥାନାର ଅତିରିକ୍ତ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି ।
ଜାନୁଆରୀ ୯ରୁ ନବନିଯୁକ୍ତ ଏସ୍ଆଇମାନେ ବିଭିନ୍ନ ଥାନାରେ ନିଯୁକ୍ତ ହୋଇଥିଲେ ।
କମିଶନରେଟ୍ ପୁଲିସ ବିଜ୍ଞପ୍ତି ମୁତାବକ, ୫୯ଜଣ ଏସ୍ଆଇଙ୍କୁ ଅନ୍ୟ ଥାନାକୁ ବଦଳି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ନବ ନିଯୁକ୍ତ ଏସ୍ଆଇ । ୮୭ଜଣ ଏସ୍ଆଇରୁ ବଳକା ୨୮ଜଣ ନବ ନିଯୁକ୍ତ ଏସ୍ଆଇ ସେହି ଥାନାରେ ପୁନଃ ଥଇଥାନ କରାଯାଇଛି । ଜାନୁଆରୀ ୯ରୁ ଟ୍ରାଫିକ ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଦୀପକ ପଟେଲ୍ ଓ ଜଗନ୍ନାଥ କାଣ୍ଡିଙ୍କୁ ଏୟାରଫିଲ୍ଡ ଥାନା, ରାଜେଶ ଗୌଡ ଓ ଦିଲ୍ଲୀପ ପରିଡାଙ୍କୁ ବଡ଼ଗଡ଼ ଥାନା, ରଞ୍ଜନ ଓରାମ ଓ ଅମିତ୍ କୁମାର ସେନାପତିଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରାଯାଇଛି । ଖାରବେଳନଗର ଥାନାରେ ଥିବା ଜ୍ୟୋତି ଶଙ୍କର ସାମଲ, ଲିପ୍ସା ଦାସଙ୍କ କ୍ୟାପିଟାଲ ଥାନାକୁ ବଦଳି ହୋଇଛି । ନୂଆପଲ୍ଲୀରୁ ଆର୍ ଏନ୍ ପାତ୍ର ଧଉଳି ଥାନା ଓ ଚନ୍ଦ୍ରଶେଖରପୁର ଥାନାରୁ ଏସ୍ଆଇ ଅଶ୍ୱିନୀ ଜେନା ସହିଦନଗର ଥାନା ଯିବେ । ଖଣ୍ଡଗିରିରୁ ସୁଶାନ୍ତ ସ୍ୱାଇଁ ନନ୍ଦନକାନନ, ଶଙ୍କର ଭୋଇଙ୍କୁ ମୈତ୍ରୀବିହାର ଥାନାକୁ ପଠାଯାଇଛି ।