ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଥିବା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ୬୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଷଷ୍ଠରୁ ଦଶମ ଅନ୍ତେବାସୀ ବାଳକ ୨୮୨ ଓ ବାଳିକା ୩୯ ଛାତ୍ରଛାତ୍ରୀ ଅଛନ୍ତି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଯୁକ୍ତଦୁଇ ଅଧ୍ୟୟନ ପାଇଁ ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି । ସରକାରଙ୍କ ୫ଟି ଯୋଜନା ଏଠି ଭଲ ଭାବରେ କାମ କରୁନଥିବା ପରିଲକ୍ଷିତ ହେଉଛି । ବିଦ୍ୟାଳୟ ପରିସରରେ ଥିବା ୨୦ ହଜାର କ୍ଷମତା ବିଶିଷ୍ଟ ଏକ ଓଭରପାଣି ଟାଙ୍କି ଦୀର୍ଘ ଦିନରୁ ଅଚଳ ହୋଇ ପଡିରହିଛି । ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ଶୌଚ ଓ ଗାଧୋଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସ୍କୁଲ ପରିସରରେ ଥିବା ଏକ ନଳକୂପରୁ ନାମକୁ ମାତ୍ର ଉଭୟ ହଷ୍ଟେଲକୁ ପାଣି ଯୋଗାଣ ହୋଇଥାଏ, ତାହା ମଧ୍ୟ ନିଅଣ୍ଟ ହେଉଥିବା ଅନ୍ତେବାସୀମାନେ ଅଭିଯୋଗ ଆଣିଛନ୍ତି । ଛାତ୍ରମାନଙ୍କ ହଷ୍ଟେଲ ଭିତରେ ଥିବା ପାଇଖାନା ଓ ଗାଧୁଆ ଘର ପ୍ରାୟତଃ ଅଳିଆ ଆବର୍ଜନାରେ ଭର୍ତ୍ତି ରହୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି । ଯାହାକୁ ନେଇ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଅଭିଯୋଗ କଲେ ଶିକ୍ଷକ ଜଣକ ନାଳିଆଖି ଦେଖାଇ ପାଳଟା ଛାତ୍ରଛାତ୍ରୀମାନଙ୍କୁ ପାଇଖାନା ଓ ଗାଧୁଆ ଘର ସଫା କରାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ହେଲେ ନାମ ଗୋପନ ରଖିବାକୁ କହିଛନ୍ତି । ଅନ୍ତେବାସୀମାନଙ୍କୁ ଆବଶ୍ୟକ ମୁତାବାକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ମିଳୁନଥିବା ଅଭିଯୋଗ ଆଣିଛନ୍ତି । ହଷ୍ଟେଲର ପଛପଟ ପରିବେଶ ଅଳିଆ ଆବର୍ଜନାରେ ଭର୍ତ୍ତି ରହିଥିବାରୁ ସନ୍ଧ୍ୟାବେଳେ ପ୍ରବଳ ସଂଖ୍ୟାରେ ମଶା ମାଛିଙ୍କ ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଲାଭଖୋର ମନବୃତ୍ତି ନେଇ ଛାତ୍ରଛାତ୍ରୀମାନଙ୍କୁ ପେଟ ପୁରା ଖାଦ୍ୟ ଦେଉନଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ୫ଟି ଯୋଜନାରେ ନିର୍ମାଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଭୋଜନାଳୟ ଅପରିଷ୍କାର ସହ ନିମ୍ନମାନର କାମ ହୋଇଥିବାରୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଭଙ୍ଗାରୁଚା ହୋଇଯାଇଛି । ଏସମ୍ପର୍କରେ ଦାୟିତ୍ୱରେଥିବା ପ୍ରଧାନ ଶିକ୍ଷକ ଭୂଗୋଲ ବନଗୁଲା ଅନୁପସ୍ଥିତ ଥିବାରୁ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ କଲ୍ ରିସିପ କରିନଥିଲେ । ଘଟଣା ସମ୍ପର୍କରେ ପାଟଣାଗଡ଼ ଏଡିଡବ୍ଳୁ ଦୀପ୍ତି କାନ୍ତ ଭୋଇଙ୍କୁ ପଚାରିବାରୁ ଏ ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି ।