ବିଘ୍ନରାଜ ପୁଟେଲଙ୍କ ୨ ହତ୍ୟାକାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୮ ତାରିଖ ସୋମବାର ଦିନ ଠାରୁ ତମିଆଁ ଗାଁର ବିଘ୍ନରାଜ ପୁଟେଲ ନିଖୋଜ ହୋଇଥିଲେ । ଏହି ବିଷୟରେ ତାଙ୍କ ସ୍ତ୍ରୀ ଆରତି ପୁଟେଲ ଗତ ୩୦ ତାରିଖ ଦିନ ଲରମ୍ଭା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଗତ ୩୧ ତାରିଖ ଦିନ ନିଖୋଜ ବିଘ୍ନରାଜଙ୍କ ମୃତ ଦେହ ତମିଆଁ ଗାଁ ସ୍ଥିତ ଅଡ଼କପାଣି ନାଳରୁ ମିଳିଥିଲା । ସେହି ଦିନ ମୃତ ବିଘ୍ନରାଜ ପୁଟେଲଙ୍କ ପୁତୁରା ରତନ ପୁଟେଲ(୨୯), ବୁଧୁ ପୁଟେଲଙ୍କ ରିପୋର୍ଟରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା । ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା କେସ୍‌ର ତଦନ୍ତ କରି ଆଜି ଦୁଇଜଣ ଅଭିଯୁକ୍ତ କୈଳାଶ ପୁଟେଲ(୨୩) ଏବଂ ମୃତ ବିଘ୍ନରାଜ ପୁଟେଲଙ୍କ ସ୍ତ୍ରୀ ଆରତି ପୁଟେଲଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛନ୍ତି । ପ୍ରକାଶ ଥାଉ କି ଗତ ଦୁଇ ମାସ ତଳେ ତମିଆଁ ଗାଁର ମୃତ ବିଘ୍ନରାଜଙ୍କ ପତ୍ନୀ ଆରତି କୈଳାଶ ପୁଟେଲର ବଡ଼ ଭାଇ କୃଷ୍ଣ ପୁଟେଲ ଓ ଅନ୍ୟମାନଙ୍କ ନାମରେ ରେପ୍‌ କେସ୍‌ କରିଥିଲେ । ସେହି କେସ୍‌ରେ ମୁଦାଲା କୈଳାଶର ଦୁଇ ଭାଇ କୃଷ୍ଣ ପୁଟେଲ ଓ କୈବଲ୍ୟ ପୁଟେଲଙ୍କ ସହିତ ତମିଆଁ ଗାଁର ଅନ୍ୟ ଚାରି ଜଣ ଜେଲ ଯାଇଛନ୍ତି । କୈଳାଶର ଭାଇମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ମୁଦାଲା କୈଳାଶ ପୁଟେଲ ଆରତି ଏବଂ ତାଙ୍କ ସ୍ୱାମୀ ବିଘ୍ନରାଜଙ୍କ ସହିତ କଥା ହୋଇଥିଲା । କିନ୍ତୁ ମୃତ ବିଘ୍ନରାଜ ପୁଟେଲ କୈଳାଶର କଥାରେ ରାଜି ହୋଇ ନଥିଲେ । କିନ୍ତୁ ବିଘ୍ନରାଜଙ୍କ ପତ୍ନୀ ଆରତି କୈଳାଶଙ୍କ କଥାରେ ରାଜି ଥିଲେ ଏବଂ ମୁଦାଲା କୈଳାଶର ବଡ଼ଭାଇ କୃଷ୍ଣ ପୁଟେଲ ଜେଲ୍‌ରୁ ବାହାରିବା ପରେ ଆରତି ତାକୁ ବିବାହ କରିବ ବୋଲି ସର୍ତ୍ତ ରଖିଥିଲେ । କିନ୍ତୁ ମୃତ ବିଘ୍ନରାଜ ରେପ୍‌ କେସ୍‌କୁ ଖାରଜ୍‌ ନକରିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ । ଏହାପରେ ମୁଦାଲା କୈଳାଶ ପୁଟେଲ, ତାର ଭାଇ ଶୁକ୍ରୁ ପୁଟେଲ ଓ ଆରତି ପୁଟେଲ ମିଶି ବିଘ୍ନରାଜ ପୁଟେଲଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଗତ ୨୮ ତାରିଖ ସୋମବାର ଦିନ ପ୍ରାୟ ଦେଢ଼ଟା ସମୟରେ ଆରତି ଠାରୁ ଖବର ପାଇ କୈଳାଶ ଓ ଶୁକ୍ରୁ ବିଘ୍ନରାଜଙ୍କ ପୋଟଲ ବାଡ଼ିକୁ ଯାଇଥିଳେ । ସେତେବେଳେ ସେଠାରେ ବିଘ୍ନରାଜ ପୁଟେଲ ତାଙ୍କ ବାଡ଼ି ଶୋଇଥିଲେ ଏବଂ ଆରତି ଜଗି ରହିଥିଲା । ତାପରେ ଅଭିଯୁକ୍ତ କୈଳାଶ ପୁଟେଲ ଓ ତାର ଭାଇ ଶୁକ୍ରୁ ଧୀରେ ଧୀରେ ବିଘ୍ନରାଜ ପୁଟେଲଙ୍କ ପାଖକୁ ଯାଇ ଶୋଇଥିବା ବିଘ୍ନରାଜଙ୍କ ମୁଣ୍ଡରେ ରଫା(ଫାଉଡ଼ା) ସାହାଯ୍ୟରେ ଦୁଇ ତିନି ଫସା ମାରିଥିଲେ । କେବଳ ସେତିକି ନୁହେଁ, ଏହାପରେ ସଂଗେ ସଂଗେ ସେମାନେ ଜରି ବସ୍ତାରେ ବିଘ୍ନରାଜଙ୍କ ମୁଣ୍ଡକୁ ପୂରାଇ ଦେଇ ତାଙ୍କ ବେକକୁ ଜୋର୍‌ରେ ଚିପି ଦେଲେ । ବିଘ୍ନରାଜ ମୃତ୍ୟୁବରଣ କରିବା ପରେ ତିନି ଜଣ ମିଶି ମୃତ ବିଘ୍ନରାଜଙ୍କ ଶବକୁ ଅଡ଼କପାଣି ନାଳ ଭିତରେ ପୋତି ଦେଇଥିଲେ ଓ ସେମାନେ ବ୍ୟବହାର କରିଥିବା ରଫାକୁ ସେପାଖରେ ଥିଲା ଜଲ ପୁଟେଲଙ୍କ ଜମିରେ ରହିଥିବା କୁଅରେ ଫିଙ୍ଗି ଦେଇ ସେଠାରୁ ଚାଲି ଆସିଥିଲେ । ତଦନ୍ତ ସମୟରେ ବ୍ୟବହୃତ ରଫାକୁ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ।

Leave A Reply

Your email address will not be published.