ବାହାଘରରେ ବରକୁ ହତ୍ୟା ପାଇଁ ସୁପାରି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବାବିଜୋର ଗାଁରେ ବରକୁ ବେଦି ଉପରେ ମାରିବା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ମୋହନଗିରିରେ ଜଣେ ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଦେଓଗାଁ ଥାନା ମହଲାଇ ଗାଁର ସୁଶାନ୍ତ ବିଶ୍ୱାଳଙ୍କୁ ଗତରାତିରେ ପୁଲିସ ଗିରଫ କରିଛି । ଏଥିସହ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ପୁଲିସ ନ୍ୟାୟବୋର୍ଡରେ ହାଜର କରିଛି । ଦେଓଗାଁ ଥାନା ଗାଈବାହାଲ ଗାଁର ନେତ୍ରାନନ୍ଦ ପଧାନଙ୍କ ପୁଅ ରାଜକୁମାର ଗତ ରବିବାର ରାତିରେ ଉଡ଼ାର ପଞ୍ଚାୟତ ବାବିଜୋର ଗାଁକୁ ବାହା ହେବାକୁ ଯାଇଥିଲେ । ବର ଶୋଭାଯାତ୍ରା ଝିଅଘର ସମ୍ମୁଖରେ ପହଞ୍ଚିବା ପରେ ବେଦି ଉପରେ ବରକୁ ଦେଶୀ ପିସ୍ତଲରେ ମାରିବା ପାଇଁ ୧୦ଜଣ ଯୁବକ ଘେରି ଯାଇଥିଲେ । ତେବେ କନ୍ୟାପକ୍ଷର ଜଣେ ବ୍ୟକ୍ତି ସେମାନଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ପରେ ଗାଁ ଲୋକେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ଜଣଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିବା ବେଳେ ଅନ୍ୟ ୩ଜଣ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୭ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଥିଲା । ମଙ୍ଗଳବାର ରାତିରେ ମୁଖ୍ୟ ଅଭିଯୁକ୍ତ ମହଲାଇ ଗାଁର ସୁଶାନ୍ତ ବିଶ୍ୱାଳଙ୍କୁ ଗିରଫ କରିଛି । ତେବେ କେଉଁ କାରଣ ପାଇଁ ବରକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ, ସେ ନେଇ ଅଭିଯୁକ୍ତ ସୁଶାନ୍ତ ମୁହଁ ଖୋଲିଛନ୍ତି । ସୁଶାନ୍ତଙ୍କ ଶ୍ଵଶୁରଙ୍କ ପୈତୃକ ଜମି ଭାଗବଣ୍ଟାକୁ ନେଇ ବର ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି । କିଛିଦିନ ତଳେ ଧାନ ଫସଲକୁ ଦିଆଯାଉଥିବା ପାଣି ପାଇପକୁ ଭାଙ୍ଗି ଦେଇଥିଲେ ପରିବାର ସଦସ୍ୟ । ଏନେଇ ପୁଲିସର ଦ୍ୱାରସ୍ଥ ହେବା ପରେ ବି କୌଣସି ସୁଫଳ ମିଳିନଥିଲା । ଫଳରେ ସୁଶାନ୍ତଙ୍କ ଶ୍ଵଶୁର ଦୁଃଖୀଶ୍ୟାମଙ୍କ ୨ଏକର ଜମିରେ ଧାନଫସଲ ନଷ୍ଟ ହୋଇଥିଲା । ଏହାକୁ ନେଇ ସୁଶାନ୍ତଙ୍କ ରାଗ ବରଙ୍କ ଭାଇ ସନ୍ତୋଷଙ୍କ ଉପରେ ରହିଥିଲା । ବାହାଘର ଦିନ ସେ କିଛି ଯୁବକଙ୍କୁ ନେଇ କନ୍ୟାଘର ସମ୍ମୁଖରେ ଆକ୍ରମଣ କରିଥିବା ପୁଲିସକୁ କହିଛନ୍ତି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି, ଏ ପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଆଉ ଜଣକୁ ଧରାଯିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.