- ବିଭିନ୍ନ ୯୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଓ ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୯୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୭୫ ଗୋଟି, ସାମୁହିକ ଦରଖାସ୍ତ ୧୮ ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୪୧ ଗୋଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିବା ବେଳେ ୪ ଜଣଙ୍କୁ ସିଏମ୍ଆରଏଫ୍ରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିବିରରେ ଜଣେ ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ସହ ୩ ଚକିଆ ସାଇକେଲ ଓ ଅନ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବସ ପାସ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମଲ । ଅନ୍ୟ ସମସ୍ତ ଅଭିଯୋଗ ଦରଖାସ୍ତକୁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନିକା ପ୍ରମୋଦ ଚନ୍ଦ୍ର ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର , ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୈତ୍ୟନାରାୟଣ ପାଢ଼ୀ , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜ଼ିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଉପ ଶ୍ରମ ନିର୍ଦ୍ଦେଶକ ଡିଲେଶ୍ୱର ଖାକା, ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁଓଡିଏଲ୍ ଅଶୋକ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ସତ୍ୟନାରାୟଣ ପ୍ରଧାନ, ତହସିଲଦାର ବିନିକା ସୀତାରାମ ଭୋଇ, ଏଏସ୍ଆଇ ଅନିଲ ବେହେରାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।