jayashree

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଯୌତୁକକୁ ନେଇ ବଧୂ ହତ୍ୟା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରୁ । ସୂଚନା ଅନୁସାରେ ପାଞ୍ଚ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ଅନ୍ତର୍ଗତ ଲୁଚୁକିବାହାଲ ଗ୍ରାମର ରଥି ସାହୁଙ୍କ ଝିଅ ସୀମା, ଆଗଲପୁର ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ମହେନ୍ଦ୍ର ସାଙ୍କୁ ବୈଦିକ ରୀତିନୀତିରେ ଫାସଡ଼ ଶିବ ମନ୍ଦିର ଠାରେ ବିବାହ କରିଥିଲେ । ବିବାହ ପରଠାରୁ ଯୌତୁକ ଆଣିବାକୁ କେନ୍ଦ୍ର କରି କଳହ ଲାଗି ରହିଥିଲା । ଯାହାକୁ ନେଇ ଅନେକ ଥର ସମାଧାନ କରାଯାଇଥିବା ମୃତା ସୀମା ସାହୁଙ୍କ ବାପଘର ଲୋକେ କହିଛନ୍ତି । ତେବେ ଦୁଇଦିନ ପୂର୍ବରୁ ସନ୍ଧ୍ୟା ସମୟରେ ତୁମ ଝିଅ ଘର ଛାଡି କୁଆଡେ ଚାଲିଯାଇଛି, ଶୀଘ୍ର ଆସ ବୋଲି ଝିଅର ବାପା ଘରକୁ ଫୋନ କରିଥିଲେ ଶାଶୂଘର ଲୋକେ । ବାପଘର ଲୋକେ ତରବରିଆ ଭାବେ ଫଟାମୁଣ୍ଡା ଗ୍ରାମକୁ ଆସି ଝିଅକୁ ଖୋଜାଖୋଜି କରିଥିଲେ ହେଁ କୌଣସି ସୂଚନା ପାଇ ନ ପାରି ନିରାଶ ହୋଇ ଲୁଚୁକିବାହାଲ ଗ୍ରାମକୁ ଫେରିଯାଇଥିଲେ । ପୁଣି ଗତକାଲି ତୁମ ଝିଅ ଗାଁ ନିକଟରେ ଥିବା ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି ବୋଲି ଝିଅର ବାପଘରକୁ ଫୋନ କରିଥିଲେ ଶାଶୂଘର ଲୋକେ । ଝିଅର ବାପଘର ଲୋକେ ଫଟାମୁଣ୍ଡା ଗାଁରେ ପହଞ୍ଚି ଗାଁ ନିକଟସ୍ଥ ଏକ ଗଛରେ ସୀମା ବେକରେ ଶାଢ଼ି ଲଗାଇ ମରିଥିବା ଦେଖିବାକୁ ପାଇଥିଲେ । ଯୌତୁକ ପାଇଁ ଝିଅର ଶାଶୂଘର ଲୋକେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ଆଗଲପୁର ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପଘର ଲୋକେ । ଅଭିଯୋଗକୁ ଭିତ୍ତିକରି ଆଗଲପୁର ପୋଲିସ ୨୦୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।

Leave A Reply

Your email address will not be published.