ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ବ୍ରିଜ୍‌ ଓ କନ୍‌ଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ୧୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ, ଭଦ୍ରକ ଜିଲ୍ଲାର ନିଜ ପୈତୃକ ବାସଭବନ ସମେତ ୩ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଭଦ୍ରକ ସହର ସ୍ଥିତ ଆଚାର୍ଯ୍ୟ ନଗରରେ ଥିବା ୩ ମହଲା ବିଶିଷ୍ଟ ଘରେ ଚଢ଼ାଉ କରାଯାଉଛି । ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶ୍ରୀ ଲେଙ୍କାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢ଼ାଉରେ ସାମିଲ ହୋଇଛନ୍ତି । ସେମାନେ ସେଠାରେ ରହୁଥିବା ଭଡାଟିଆଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ସେହିପରି ରାନ୍ଦୀଆ ଶାସନ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭଦ୍ରକ ଜିଲ୍ଲାର ଆଗରପଡା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି । ସେଠାରେ କଟକ ଭିଜିଲାନ୍ସର ୭ ଜଣିଆ ଟିମ୍‌ ଚଢ଼ାଉ କରୁଥିବା ଜଣାଯାଇଛି । ସେମାନେ ସେଠାରେ କାଗଜପତ୍ର ଯାଞ୍ଚ କରୁଛନ୍ତି । ତେବେ କେତେ ଟଙ୍କାର ସମ୍ପତ୍ତି ବାହାରିଛି ତାହା ଭିଜିଲାନ୍ସ ଟିମ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।

Leave A Reply

Your email address will not be published.